ହଜିଯିବ କଣ୍ଟେଣ୍ଟ୍ କ୍ରିଏଟର୍ଙ୍କ ଚମକ, ରୂପରଙ୍ଗ ହୋଇଯିବ ଭୟାନକ
ସୋସିଆଲ ମିଡିଆରେ ସକ୍ରିୟ ଛୋଟ ପିଲାଟୁ ବୁଢ଼ା ଯାଏ । ବେଶୀ ଯୁବପିଢ଼ି ରିଲ୍ସ, ବ୍ଲଗ୍ସ ମାଧ୍ୟମରେ ବେଶ ସକ୍ରିୟ । ସବୁଠୁ ବେଶୀ ଚର୍ଚ୍ଚାରେ ଥାନ୍ତି ଇନ୍ଫ୍ଲୁଏନ୍ସର ଓ କଣ୍ଟେଣ୍ଟ୍ କ୍ରିଏଟର୍ମାନେ । ତେବେ ଏମାନେ ସୋସିଆଲ ମିଡିଆରେ ଖୁବ୍ ଗ୍ଲାମରସ୍ ଦେଖାଯାଉଥିବାବେଳେ ଆଗାମୀ ଦିନରେ ବଡ଼ ବିପଦ ଘୋଟି ଆସୁଛି ବୋଲି ଦାବି କରିଛନ୍ତି ବୈଜ୍ଞାନିକମାନେ । ହାତରେ ମୋବାଇଲ ଫୋନ୍ ଧରି ଲଗାତାର ବିଷୟବସ୍ତୁ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହୁଥିବା ଏଭଳି ଇନ୍ଫ୍ଲୁଏନ୍ସର୍ଙ୍କ ରୂପ-ରଙ୍ଗ ଓ ଶାରୀରିକ ଗଠନକୁ ନେଇ ବିଶେଷଜ୍ଞମାନେ ଏକ ମଡେଲ ପ୍ରସ୍ତୁତ କରିଛନ୍ତି । ଆଗାମି ଦିନରେ କେମିତି ଦିଶିବେ, ଏହା ଜରିଆରେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ।
ନ୍ୟୁୟର୍କ ପୋଷ୍ଟ୍ର ରିପୋର୍ଟ ଅନୁସାରେ, ଗ୍ୟାମ୍ବଲିଙ୍ଗ୍ ସାଇଟ୍ କସିନୋ ଡଟ୍ ଅର୍ଗର ବିଶେଷଜ୍ଞମାନେ ଏକ ବିଚିତ୍ର ଏଆଇ ମଡେଲ୍ ପ୍ରସ୍ତୁତ କରିଛନ୍ତି । ୨୦୫୦ରେ କଣ୍ଟେଣ୍ଟ୍ କ୍ରିଏଟର୍ମାନଙ୍କ ତ୍ୱଚାରେ ଚିହ୍ନ, ବେକରେ କୁବୁଜ ଓ ବେକରେ ଯନ୍ତ୍ରଣା ପ୍ରଦର୍ଶିତ ହୋଇଛି । ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି, କଣ୍ଟେଣ୍ଟ୍ କ୍ରିଏସନ୍ କ୍ୟାରିଅର୍ ଆକର୍ଷଣୀୟ ହୋଇଥାଇପାରେ । କିନ୍ତୁ ଏହା ଆମ ଜୀବନଶୈଳୀରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ । ଟ୍ରେଣ୍ଡ୍ରେ ଥିବା ଏହି ବୃତ୍ତି ବିଶ୍ୱରେ ଲକ୍ଷାଧିକ ଫଲୋଅର୍ ଥିବା ବ୍ୟକ୍ତିଙ୍କ ରଙ୍ଗ-ରୂପକୁ କେମିତି ପ୍ରଭାବିତ କରିପାରେ, ବିଶେଷଜ୍ଞମାନେ ତାହା ଜଣାଇବାକୁ ଚାହିଁଛନ୍ତି ।
ବର୍ଷ ବର୍ଷ ଧରି ଚେହେରାରେ ଫିଲର୍ ଲଗାଇବା ଯୋଗୁ ଚେହେରା ବିକୃତ ହୋଇଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି । ଏହାର ଫଳସ୍ୱରୂପ ଗାଲ ଫୁଲିବା, ଡାହାଣୀ ଭଳି ଥୋଡ଼ି, ଚେହେରାର ଗଠନ କୃତ୍ରିମ ହୋଇଯାଏ । କେଶ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି ।
ଇଣ୍ଟର୍ଡିସିପ୍ଲିନାରୀ ନ୍ୟୁରୋସର୍ଜରୀ ପତ୍ରିକାରେ ବିଶେଷଜ୍ଞ ଉଲ୍ଲେଖ କରିଛନ୍ତି, ବାରମ୍ବାର ସ୍ମାର୍ଟଫୋନ୍ ବ୍ୟବହାର ଯୋଗୁ ବେକର ମୁଦ୍ରା ଅସନ୍ତୁଳିତ ହୋଇପାରେ କିମ୍ବା ମସ୍କୁଲୋସ୍କେଲେଟଲ୍ ବିକାର ଉତ୍ପନ୍ନ ହୋଇପାରେ । ବେକର ଏହି ମୋଡ଼ିହେବା ମୁଦ୍ରା ବେକ ଓ ମେରୁଦଣ୍ଡ ଯନ୍ତ୍ରଣାକୁ ବଢ଼ାଇପାରେ । ମେରୁଦଣ୍ଡ ଆଖପାଖ ଅଂଶରେ ମାଂସପେଶୀରେ ସମସ୍ୟା ସୃଷ୍ଟି ହୁଏ । ଏହା ବାସ୍ତବରେ ଚିନ୍ତାର ବିଷୟ ।
Powered by Froala Editor