ମିଶନ ଶକ୍ତି ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ରାଜ୍ୟର ୩୩୮ ବ୍ଲକ ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର 'ମିଶନ ଶକ୍ତି ଭବନ' ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବ। ତାହା ସହ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି, ମିଶନ ଶକ୍ତି ହେଉଛି ଓଡ଼ିଶାର ୭୦ ଲକ୍ଷ ମାଆମାନଙ୍କର ଏକ ବିରାଟ ଅନୁଷ୍ଠାନ। ଏହା ହେଉଛି ଓଡ଼ିଶାର ବିକାଶ ବାହିନୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, 'ଆପଣମାନେ(ମହିଳା) ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥୀରେ ଅଛି।'
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି-"କୋଭିଡ୍ ସମୟରେ ମିଶନ ଶକ୍ତିର ମାଆମାନେ ବହୁତ ଭଲ କାମ କରିଛନ୍ତି। ବ୍ଲକସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ମାଆମାନେ ତାଲିମ ପାଇବେ। ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ। ସେମାନଙ୍କ ନିଜସ୍ୱ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ।"
କୋଭିଡ ସମୟରେ ମିଶନ ଶକ୍ତିର ମା' ମାନେ ବହୁତ ଭଲ କାମ କରିଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ ଆଜି ହେଉଛି ଏକ ଐତିହାସିକ ଦିବସ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ମା' ମାନେ କୋଭିଡ ସମୟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ଠାରୁ ଆରମ୍ଭ କରି ମାସ୍କ ତିଆରି, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଆଦି ଅନେକ ଭଲ କାମ କରି ମିଶନ ଶକ୍ତି ଆନ୍ଦୋଳନର ସୁନାମ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ, 'ମୁଁ ସବୁବେଳେ କହି ଆସିଛି, ମା ସଶକ୍ତ ହେଲେ, ପରିବାର ସଶକ୍ତ ହେବ। ସମାଜ ସଶକ୍ତ ହେବ । ଗୋଟିଏ ଜାତି ସଶକ୍ତ ହେବ। ଇତିହାସର ଧାରା ମଧ୍ୟ ବଦଳିଯିବ ।'
କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମିଶନ ଶକ୍ତିର ମହିଳାମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରି କହିଥିଲେ। ସେ କହିଛନ୍ତି-"କୌଣସି ବ୍ୟବସାୟ ପାଇଁ ପୁଞ୍ଜି ଯୋଗାଣ ସଞ୍ଜୀବନୀ ପରି କାର୍ଯ୍ୟ କରେ। ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଆବର୍ତ୍ତନ ପାଣ୍ଠି କରିଛନ୍ତି, ତାହା ମିଶନ ଶକ୍ତିକୁ ସ୍ୱାବଲମ୍ବୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ମିଶନ ଶକ୍ତି ମାଆମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି।"
Powered by Froala Editor