ମୋବାଇଲ୍ରୁ ମୋବାଇଲ୍କୁ ଘୂରି ବୁଲୁଛି ବିଡିଓଙ୍କ ଡ୍ରେନ୍ ସଫା ଭିଡିଓ
ଭୁବନେଶ୍ବର: ସୋମବାର ସିନାପାଲି ବ୍ଲକ ସଦର ପଞ୍ଚାୟତରେ ଗାଁରେ ପ୍ରଶାସନ ତଥା ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସ୍ଥାନୀୟ କିଛି ମହିଳା ନିକଟସ୍ଥ ଡ୍ରେନ ସମସ୍ୟା ନେଇ ଶିବିରରେ ଅଭିଯୋଗ କରିବାକୁ ପହଞ୍ଚି ଥିଲେ। ଡ୍ରେନ ସମସ୍ୟା ନେଇ ଶିବିରରେ କଥା କଟାକଟି ହେବାରୁ ଶୁଣାଣି ଅଧାରେ ରଖି ଦିନ ପ୍ରାୟ ୧୨ଟା ୩୦ରେ ବିଡିଓ ଶ୍ରୀମତୀ ଓରାମ ସିନାପାଲି ବସ୍ଷ୍ଟାଣ୍ଡ ଛକ ଅଞ୍ଚଳରେ ପହଞ୍ଚିଥିଲେ। ଡ୍ରେନ୍ର ଅବସ୍ଥା ଦେଖି ସେ ସଫା କରିବାକୁ ଅଣ୍ଟା ଭିଡ଼ିଥିଲେ। ସେଠାରେ ଉପସ୍ଥିତ ସରକାରୀ ଅଧିକାରୀ ଓ ସ୍ଥାନୀୟ ମହିଳା ବାରଣ କରୁଥିଲେ ହେଁ ସେ କାହାରି କଥା ଶୁଣି ନ ଥିଲେ। ଡ୍ରେନରେ ପଡ଼ିଥିବା ଆବର୍ଜନା ସଫା କରିବାକୁ ଲାଗିଥିଲେ। ଯାହା ଅନ୍ୟମାନଙ୍କୁ ମର୍ମାହତ କରିଥିଲା। ଗ୍ଲୋବ୍ସ ଲଗାଇ ସଫା କରନ୍ତୁ ବୋଲି କିଛି ପରାମର୍ଶ ଦେଇଥିଲେ ହେଁ ସେ କାହାରି କଥାକୁ ନ ଶୁଣି ଏକ୍ଲା ଚଲୋ ନୀତିରେ ଡ୍ରେନ୍ ସଫା କରିବାରେ ଲାଗିଥିଲେ। ସ୍ଥାନୀୟ ମହିଳାମାନେ ହାତ ଯୋଡ଼ି ନେହୁରା ହେବା ସହ ଡ୍ରେନ ସଫା ରଖିବୁ, ଆବର୍ଜନା ପକାଇବୁ ନାହିଁ ବୋଲି କହୁଥିବା ଦେଖା ଯାଇଥିଲା। ଏହାପରେ ବିଡିଓ ଶ୍ରୀମତୀ ଓରାମ ଡ୍ରେନ୍ ସଫା କରିବାରୁ କ୍ଷାନ୍ତ ହୋଇଥିଲେ। ଏହି ଘଟଣା ଏବେ ନୂଆପଡ଼ା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
Powered by Froala Editor