ଆଜିଠାରୁ ଅପରେସନ୍ ପ୍ରହାର ଆରମ୍ଭ, ନିଶା ବେପାରୀଙ୍କୁ ମିଳିବ ମୁହଁତୋଡ଼ ଜବାବ

ଭୁବନେଶ୍ବର: ନିଶାମାଫିଆ ଓ କାରବାର କରୁଥିବା ବେପାରୀଙ୍କୁ ମିଳିବ ମୁହଁତୋଡ଼ ଜବାବ। ନିଶା କାରବାରକୁ ଦମନ ଲାଗି ଆଜିଠାରୁ ଆରମ୍ଭ ହେଉଛି ଅପରେସନ୍ ପ୍ରହାର। ବେଆଇନ ମାଦକ ଦ୍ରବ୍ୟ ବିକ୍ରି ଓ ଚୋରାଚାଲାଣ ବିରୋଧରେ ରାଜ୍ୟବ୍ୟାପୀ ଧରପଗଡ଼ ଆରମ୍ଭ ହେବ। ବିଭିନ୍ନ ତଦନ୍ତକାରୀ ସଂସ୍ଥା ପକ୍ଷରୁ ବେଆଇନ ନିଶାକୁ ମୂଳପୋଛ ଲାଗି ରଣନୀତି ପ୍ରସ୍ତୁତ ହୋଇଛି। ନିଶା କାରବାର ବନ୍ଦ ଅଭିଯାନ ପୂର୍ବରୁ ରାଜ୍ୟରେ ତାତିଲେଣି ମହିଳା। ନିଶାକୁ ବିରୋଧ କରିବା ସହ ବେଆଇନ ମଦ ଭାଟି ଉଚ୍ଛେଦ ଲାଗି ଆଗେଇ ଆସିଛନ୍ତି ମହିଳା। ନିଶା କାରବାରକୁ ବିରୋଧ କରିବା ସହ ଶାଣିତ ଭାବେ ସ୍ବର ଉଠାଇ ଆଇନକୁ ହାତକୁ ନେଲେଣି। କେନ୍ଦୁଝରରୁ ନବରଙ୍ଗପୁର; ଖୋର୍ଦ୍ଧାରୁ ଯାଜପୁର। ସାରା ରାଜ୍ୟରେ ମହିଳାମାନେ ନିଶା କାରବାର ବିରୋଧରେ ସ୍ବର ଉଠାଇଲେଣି। ଗାଁ ଗାଁରେ ମହିଳାମାନେ ରାଜରାସ୍ତା ଘେରିବା ସହ ମଦ ଦୋକାନ ଓ ନିଶା କାରବାର କରୁଥିବା ବ୍ୟକ୍ତିଙ୍କ ଘର ଭାଙ୍ଗିଲେଣି। ଏପରିକି ପୁଲିସ ଓ ପ୍ରଶାସନ ଶୁଣୁନଥିବାରୁ ଉତ୍ତ୍ୟକ୍ତ ମହିଳାମାନେ ମଦ ଭାଟି କିମ୍ବା ବେଆଇନ ନିଶା କାରବାର କରୁଥିବା ବେପାରୀଙ୍କ ଘରେ ନିଆଁ ଲଗାଇ ଦେଲେଣି।
ରବିବାର କେନ୍ଦୁଝର ଜିଲା ହରିଚନ୍ଦନପୁର ପଞ୍ଚାୟତ ବାଉଁଶନାଳି ଗାଁ ପାଖ ଜଙ୍ଗଲରେ ଥିବା ଏକ ସରକାର ଦେଶୀ ମଦ ଭାଟିରେ ମହିଳାମାନେ ନିଆଁ ଲଗାଇ ଦେଇଛନ୍ତି। ୫ଟି ଗାଁର ଶତାଧିକ ଆଦିବାସୀ ମହିଳା ଏକତ୍ର ହୋଇ ଦେଶୀ ମଦ ଭାଟିକୁ ଭଙ୍ଗାରୁଜା କରିବା ପରେ ନିଆଁ ଲଗାଇ ଦେଇଛନ୍ତି। ମଦ କାରବାର ଯୋଗୁଁ ଘରର ପୁରୁଷମାନେ ନିଶାସେବନ କରୁଥିବାରୁ ପରିବାର ଉଜୁଡ଼ି ଯାଉଛି। ଗାଁ ନିକଟରୁ ଦେଶୀ ମଦ ଭାଟି ସ୍ଥାନାନ୍ତର କରିବାକୁ ଅଞ୍ଚଳର ମହିଳାମାନେ ଦାବି କରି ଆସୁଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ମଦଭାଟି ସ୍ଥାନାନ୍ତର ଲାଗି କୌଣସି ପଦପେକ୍ଷ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ମହିଳାମାନେ ତାତିଥିଲେ।
ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ କମିଟି ସଦସ୍ୟଙ୍କ ମନୋନୟନ ସରିଛି। ବିଭିନ୍ନ ତଦନ୍ତକାରୀ ଦଳ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ କିପରି ବେଆଇନ ନିଶା କାରବାର ରୋକାଯାଇପାରିବ, ସେଦିଗରେ ଖସଡ଼ା ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯିବ। ବିଭିନ୍ନ ଜିଲାକୁ ଜୋନ୍ରେ ବିଭକ୍ତ କରାଯାଇଛି ଏସ୍ଟିଏଫ୍, ଅବକାରୀ, ଜିଲା ପୁଲିସ ଓ ଏନ୍ସିବିର ମିଳିତ ଦଳ ପକ୍ଷରୁ ଚଢ଼ଉ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
Powered by Froala Editor