ଭଦ୍ରକରେ ୬୬ ପ୍ରତିଶତ ଡାକ୍ତର ପଦ ଖାଲି

ଭଦ୍ରକ: ଭଦ୍ରକ ଜିଲାରେ ସ୍ୱାସ୍ଥ୍ୟସେବା ସୁଧାରିବାରେ ରାଜ୍ୟ ସରକାର ଏକପ୍ରକାର ବିଫଳ ହୋଇଛନ୍ତି। ପ୍ରଥମ ବର୍ଷର ମୋହନ ସରକାର ଗତ ବଜେଟ ଅଧିବେଶନରେ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ଘୋଷଣା କରିଦେଲେ। ହେଲେ କଲେଜ କେଉଁଠି ହେବ, ଏଯାଏ ସ୍ଥାନ ନିରୂପଣ ହୋଇନାହିଁ। ଜିଲାର ସ୍ୱାସ୍ଥ୍ୟସେବା ପ୍ରତି ଚରମ ଅବହେଳା ଦେଖାଯାଇଛି। ସଂପ୍ରତି ଜିଲାରେ ସ୍ୱାସ୍ଥ୍ୟସେବା ଚିତ୍ର ଅତି ବିକଳ। ଗ୍ରାମାଞ୍ଚଳର ୫୦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୩୦ଟିରେ ଡାକ୍ତର ନାହାନ୍ତି। ଜିଲାର ୩୮୦ ଏମବିବିଏସ ପଦକୁ ମଞ୍ଜୁରି ମିଳିଛି। ଅଛନ୍ତି ମାତ୍ର ୧୨୩। ଅର୍ଥାତ ୬୬ ପ୍ରତିଶତ ଡାକ୍ତର ପଦ ଖାଲି। ୫୭ ଜଣ ବିଶେଷଜ୍ଞ ଡାକ୍ତରଙ୍କ ଜାଗାରେ ଅଛନ୍ତି ୩୭। ଜିଲା ସଦର ମହକୁମାର ମୁଖ୍ୟ ଚିକିତ୍ସାଳୟର ଗୁରୁତ୍ୱକୁ ବୁଝାଇବା ଆବଶ୍ୟକତା ନାହିଁ। ଏଠାରେ ମୋଟ ୧୭୧ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୩୮ ଜଣ। ମୁଖ୍ୟ ଚିକିତ୍ସାଳୟରେ ୧୧୭ ଜଣ ଆସିଷ୍ଟାଣ୍ଟ ସର୍ଜନଙ୍କ ସ୍ଥାନରେ କାର୍ଯ୍ୟରତ ଅଛନ୍ତି ମାତ୍ର ୪ ଜଣ। ଚର୍ମ, ମାନସିକ ରୋଗ ଆଦି ବିଭାଗର ବିଶେଷଜ୍ଞ ଡାକ୍ତର ଆଦୌ ନାହାନ୍ତି।
ଇତମିଧ୍ୟରେ ନୂଆ କୋଠାକୁ ସ୍ଥାନାନ୍ତର ହୋଇଛି ମୁଖ୍ୟ ଚିକିତ୍ସାଳୟ। ସ୍ୱାସ୍ଥ୍ୟସେବାରେ ନିୟୋଜିତ ନର୍ସ, ଫାର୍ମାସିଷ୍ଟ, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ(ମହିଳା ଓ ପୁରୁଷ) ପଦଗୁଡିକ ବହୁ ସଂଖ୍ୟାରେ ଖାଲି ପଡ଼ିଛି। ଜିଲା ଲାଗି ମଞ୍ଜୁର ୫୪୭ରୁ ୨୦୭ ନର୍ସିଂ ଅଫିସର ପଦ ଖାଲି। ୭୪ ଫାର୍ମାସିଷ୍ଟ ପଦରୁ ୨୪ ଖାଲି। ୫୫୧ ବହୁମୁଖ୍ୟ ସ୍ୱାସ୍ଥ୍ୟକର୍ମୀ ପଦରୁ ୨୫୮ ଖାଲି। ୧୨୨ ସ୍ୱାସ୍ଥ୍ୟ ସୁପରଭାଇଜର ପଦରୁ ୮୩ ଖାଲି। ଏତେ ସଂଖ୍ୟାରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ସୁପରଭାଇଜର ପଦ ଖାଲି ରହିବା ଦ୍ବାରା ଜିଲାର ସ୍ବାସ୍ଥ୍ୟସେବା ଚରମ ଦୁର୍ଦଶାକୁ ଠେଲି ହୋଇଯାଇଛି।
Powered by Froala Editor