ଆଧାରକାର୍ଡକୁ ପରିଚୟପତ୍ର ଭାବେ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ
ନୂଆଦିଲ୍ଲୀ: ବିହାର ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଆଧାର କାର୍ଡକୁ ଏକ ବୈଧ ପରିଚୟପତ୍ର ଭାବେ ଗ୍ରହଣ କରିବା ଲାଗି ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗ (ଇସି)ଙ୍କୁ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ବିଚାରପତି ସୂର୍ଯ୍ୟ କାନ୍ତ ଓ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ବିହାର ଏସ୍ଆଇଆର ପ୍ରସଙ୍ଗରେ ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ବିହାର ଚିଠା ଭୋଟର ତାଲିକାରୁ ଯେଉଁମାନଙ୍କର ନାମ ବାଦ ପଡିଛି ସେମାନେ ନିଜର ଆଧାର କାର୍ଡ ସହିତ ନାମ ସାମିଲ ନିମନ୍ତେ ଧାର୍ଯ୍ୟ ଫର୍ମ-୬ ମାଧ୍ୟମରେ ଆବେଦନ କରିପାରିବେ। ଏହି ଆବେଦନକୁ ନିର୍ବାଚନ ଆୟୋଗ ଗ୍ରହଣ କରିବାକୁ ବାଧ୍ୟ ହେବେ। ସୁପ୍ରିମକୋର୍ଟ କହିଛନ୍ତି ଚିଠା ତାଲିକାରୁ ବାଦ ପଡିଥିବା ନାଗରିକମାନେ ଆଧାର କାର୍ଡ ବ୍ୟତୀତ ଇସିଙ୍କ ଦ୍ବାରା ଧାର୍ଯ୍ୟ ଅନ୍ୟ ୧୧ଟି ସରକାରୀ ପ୍ରମାଣପତ୍ର ମାଧ୍ୟମରେ ନାମ ସଂଯୋଗ ନିମନ୍ତେ ଆବେଦନ କରିପାରିବେ। ଚିଠା ତାଲିକାରୁ ଯେଉଁମାନଙ୍କ ନାମ ବାଦ୍ ପଡିଛି ସେମାନଙ୍କ ନାମ କିପରି ତାଲିକାରେ ପୁନଃ ସଂଯୋଗ କରାଯାଇପାରିବ ସେଥିପାଇଁ ଲୋକଙ୍କୁ ସହଯୋଗ କରିବା ଲାଗି ସୁପ୍ରିମକୋର୍ଟ ରାଜନୈତିକ ଦଳଗୁଡିକୁ କହିଛନ୍ତି। ରାଜନୈତିକ ଦଳଗୁଡିକ ପକ୍ଷରୁ ନିଯୁକ୍ତ ବ୍ଲକ ଲେବୁଲ ଏଜେଣ୍ଟମାନେ (ବିଏଲଏ) ବାଦ୍ ପଡିଥିବା ଭୋଟରଙ୍କୁ ମଧ୍ୟରୁ ମାତ୍ର ଦୁଇଟି ଅଭିଯୋଗ ଦାୟର କରିଥିବାରୁ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ।
ବିହାର ଏସଆଇଆର ପ୍ରକ୍ରିୟାରେ ଆଧାର କାର୍ଡକୁ ନାଗରିକର ପରିଚୟପତ୍ର ଭାବେ ଗ୍ରହଣ କରିବାକୁ ଇସି ମନା କରିଥିଲେ। ଇସି ତାଙ୍କ ସତ୍ୟପାଠରେ ଦର୍ଶାଇଥିଲେ ଯେ ଆଧାର ନାଗରିକତ୍ବର ପରିଚୟ ପତ୍ର ନୁହେଁ। ଆଧାର ବିଭିନ୍ନ ସରକାରୀ ସୁବିଧା ହାସଲ କରିବା ଲାଗି ବ୍ୟକ୍ତିର ଏକ ପରିଚୟ। ଏହା ତା’ର ନାଗରିକତ୍ବର ପରିଚୟ ନୁହେଁ। ଅଗଷ୍ଟ ୧ରେ ଇସିଙ୍କ ଦ୍ବାରା ପ୍ରକାଶିତ ବିହାର ଚିଠା ଭୋଟର ତାଲିକାରେ ୬୫ଲକ୍ଷ ଭୋଟର ବାଦ୍ ପଡିଛନ୍ତି। ବାଦ୍ ପଡିଥିବା ଭୋଟରମାନେ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ନାମ ସଂଯୋଗ ନିମନ୍ତେ ଫର୍ମ-୬ ମାଧ୍ୟମରେ ଆବଶ୍ୟକ ପରିଚୟ ପତ୍ର ସହିତ ଆବେଦନ କରିବାକୁ ସମୟ ଦିଆଯାଇଛି। ଏହି ଆବେଦନ ସମୟରେ ଆଧାରକାର୍ଡକୁ ପରିଚୟପତ୍ର ଭାବେ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ଏବେ ନିର୍ଦେଶ ଦେଇଛନ୍ତି।
Powered by Froala Editor