ଚାଷୀ ପଞ୍ଜୀକରଣ ଅବଧି ୫ଦିନ ବୃଦ୍ଧି
ଭୁବନେଶ୍ବର : ଖରିଫ ଋତୁ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ଅବଧି ୫ଦିନ ବୃଦ୍ଧି କରିଛନ୍ତି। ପଞ୍ଜୀକରଣ ସମୟ ସୀମା ଚଳିତ ମାସ ୨୦ ତାରିଖ ଥିବାବେଳେ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଞ୍ଜୀକରଣ ବ୍ୟବସ୍ଥାକୁ ଆହୁରି ସରଳୀକରଣ କରିଛନ୍ତି। ପଞ୍ଜୀକରଣ କେନ୍ଦ୍ରରେ ଚାଷୀ ନିଜସ୍ବ ଘୋଷଣାନାମା ଫର୍ମ ପୂରଣ କରି ପଞ୍ଜୀକରଣ କରିପାରିବେ। ଏହାଦ୍ବାରା ଚାଷୀଙ୍କୁ ଆଉ ରାଜସ୍ବ ନିରୀକ୍ଷକଙ୍କ ପାଖକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ପଞ୍ଜୀକରଣ ପାଇଁ ଚାଷୀଙ୍କୁ ବଂଶାବଳୀ ପ୍ରମାଣପତ୍ର ଦେବାକୁ ପଡୁଥିଲା। ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଚାଷୀ ଅଧିକ ଉପକୃତ ହେବେ। ଏବେ କିନ୍ତୁ ଯୋଗାଣ ବିଭାଗ ନିଜସ୍ବ ଘୋଷଣାନାମାପତ୍ର ଜାରି କରିଛି, ଯାହାକୁ ପୂରଣ କରି ଚାଷୀ ସିଧାସଳଖ ପଞ୍ଜୀକରଣ କରିପାରିବେ। ଚଳିତ ଖରିଫରେ ଏଯାବତ୍ ୧୩.୩୪ଲକ୍ଷ ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।
Powered by Froala Editor