ପଟ୍ଟାମୁଣ୍ଡାଇ ଯୁବତୀ ଜଳିଯିବା ଘଟଣା: ପୁରୁଷ ବନ୍ଧୁ ଫେରାର, ପରିବାରର ସଦସ୍ୟଙ୍କୁ ଜେରା

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡ଼ା ପଞ୍ଚାୟତ କାଠିଆପଡ଼ା ଗାଁରେ ଯୁବତୀ ଜଳିଯିବା ଘଟଣାକୁ ୨୪ ଘଣ୍ଟା ବିତିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ପୁଲିସ ହେପାଜତରେ କଟକ ନିଆଯାଇଛି। ଏହାରି ଭିତରେ ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ଗାଁ ତେରେଇରେ ପୁଲିସ ପହଞ୍ଚିଛି। ହେଲେ ଅଭିଯୁକ୍ତ ହାଇଦରାବାଦ ଫେରାର ହୋଇଯାଇଥିବା କୁହାଯାଉଛି। ତେଣୁ ପୁଲିସ ଅଭିଯୁକ୍ତର ବାପା, ବୋଉ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଜେରା କରିଛି। ଏହି ଘଟଣାକୁ ନେଇ ଉଭୟ ଛାତ୍ରୀଙ୍କ ଗାଁ କାଠିଆପଡ଼ା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଗାଁ ତେରେଇରେ ପୁଲିସ ବଳ ମୁତୟନ କରାଯାଇଛି। ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଛି। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। କେନ୍ଦ୍ରାପଡ଼ାରେ ଏଫଏମ୍ଟି ବିଶେଷଜ୍ଞ ନ ଥିବାରୁ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ(ଏସ୍ସିବି)ର ଏଫଏମ୍ଟି ବିଭାଗକୁ ପଠାଯାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ କେନ୍ଦ୍ରାପଡ଼ା ଅଣାଯାଇଛି। ମୃତଦେହ ସହ କେନ୍ଦ୍ରାପଡ଼ାରୁ ଏକ ଡାକ୍ତରୀ ଟିମ କଟକ ଯାଇଥିଲା। ସେହିପରି ମହିଳା ପୁଲିସ ଅଧିକାରୀଙ୍କ ସହ ଏକ ପୁଲିସ ଟିମ ଓ ସାଇଣ୍ଟିଫିକ ଟିମ ମଧ୍ୟ କଟକ ଯାଇଥିଲା। ମୃତଦେହ ବ୍ୟବଚ୍ଛେଦର ସମସ୍ତ ଦୃଶ୍ୟ ଭିଡିଓ ରେକର୍ଡିଂ କରାଯାଇଛି; ଯାହାଦ୍ୱାରା ବ୍ୟବଚ୍ଛେଦରେ ସ୍ୱଚ୍ଛତା ରକ୍ଷା କରାଯାଇ ପାରିବ। ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।
Powered by Froala Editor