ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରତିଷ୍ଠା ହେବ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’, ପ୍ରତି ଜିଲାରେ ନିଯୁକ୍ତ ହେବେ ‘ଶକ୍ତିଶ୍ରୀ ଅପା’

ଭୁବନେଶ୍ବର : ରାଜ୍ୟରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରତିଷ୍ଠା ହେବ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’। ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିଶ୍ବବିଦ୍ୟାଳୟର କୁଳସଚିବ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ସେହିପରି ସବୁ ଜିଲାରେ ‘ଶକ୍ତିଶ୍ରୀ ଅପା’ ନିଯୁକ୍ତି କରିବାକୁ ବିଭାଗର ନିର୍ଦେଶକ କାଳୀପ୍ରସନ୍ନ ମହାପାତ୍ର ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ପ୍ରତିଷ୍ଠା ହେବାକୁ ଥିବା ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’ ଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ। ଏହା ଛାତ୍ରୀଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ ସହ ସର୍ବାଙ୍ଗୀଣ ବିକାଶ ଦିଗରେ କାମ କରିବ। ଶିକ୍ଷାନୁଷ୍ଠାନର ଜଣେ ଅଧ୍ୟାପିକା ‘ଶକ୍ତିଶ୍ରୀ ସଂଯୋଜିକା’ ଭାବେ ନିଯୁକ୍ତି ପାଇବେ ଓ କେନ୍ଦ୍ରର ପରିଚାଳନା ଦାୟିତ୍ବ ନିର୍ବାହ କରିବେ। ଶକ୍ତି ଅପା, ସ୍ଥାନୀୟ ପ୍ରଶାସନ, ଏନ୍ଜିଓ, ସଚେତନତା କରୁଥିବା ସଂସ୍ଥା ସହ ଯୋଗାଯୋଗରେ ରହିବ ଶିକ୍ଷାନୁଷ୍ଠାନ। ଜଣେ ଛାତ୍ରୀଙ୍କୁ ଶକ୍ତିଶ୍ରୀ ସାଥୀ କରାଯିବ। ଅଗଷ୍ଟ ୪ ସୁଦ୍ଧା ଶକ୍ତିଶ୍ରୀ ସଂଯୋଜିକା ମନୋନୟନ କରିବାକୁ ନିର୍ଦେଶ ଦିଆଯାଇଛି। ପ୍ରତି ଜିଲା ସ୍ତରରେ ନିଯୁକ୍ତ ହେବେ ‘ଶକ୍ତିଶ୍ରୀ ଅପା’। ୫ ଜଣ ବିଶିଷ୍ଟ ମହିଳାଙ୍କୁ ଜିଲାପାଳ ‘ଶକ୍ତି ଅପା’ ଭାବେ ଅବସ୍ଥାପିତ କରିବେ। ‘ଶକ୍ତି ଅପା’ ୩ ମାସରେ ଥରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ଛାତ୍ରୀଙ୍କ ପାଇଁ ମେଣ୍ଟର ଭଳି କାମ କରିବେ। ଅଗଷ୍ଟ ୨୦ ସୁଦ୍ଧା ‘ଶକ୍ତି ଅପା’ ମନୋନୟନ କରିବାକୁ ସବୁ ଜିଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ୨୦ ସୁଦ୍ଧା ବିଭାଗକୁ ତଥ୍ୟ ପଠାଇବେ ଜିଲାପାଳ।
Powered by Froala Editor