ବଳଙ୍ଗା ବର୍ବରକାଣ୍ଡ: ପୀଡ଼ିତାଙ୍କ ବୟାନ ଆଧାରରେ ଜାରି ହେବ ଦୁର୍ବୃତ୍ତଙ୍କ ସ୍କେଚ୍
ବଳଙ୍ଗା: ବଳଙ୍ଗା ବର୍ବରତାକୁ ସପ୍ତାହେ ପୂରିବ; କିନ୍ତୁ ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇଥିବା ଦୁର୍ବୃତ୍ତଙ୍କ ନିକଟରେ ଅପହଞ୍ଚ ପୁଲିସ। ସିସିଟିଭି, ସନ୍ଧାନୀକୁକୁର, ମୋବାଇଲ ଫୋନ୍ ଡମ୍ପିଙ୍ଗ୍, ଶହେରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା ପରେ ବି ସୁରାକ ମିଳୁନି। ଏହି ବର୍ବରକାଣ୍ଡ ପଛରେ ଥିବା ୩ଜଣ ଦୁର୍ବୃତ୍ତଙ୍କ ଅନ୍ତର୍ଦ୍ଧାନ ଘଟଣା ସମସ୍ତଙ୍କୁ ଚକିତ କରୁଛି। ଏହି ଛାତିଥରା ଘଟଣା ଭିଆଇଥିବା ୩ ଦୁର୍ବୃତ୍ତଙ୍କୁ ପୀଡ଼ିତା ଚିହ୍ନି ନଥିବା ବୟାନ ଦେଇଛନ୍ତି। ପୀଡ଼ିତାଙ୍କ ବୟାନ ଆଧାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍କେଚ୍ ଜାରି କରାଯିବ। ଉକ୍ତ ସ୍କେଚ୍କୁ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରାଯିବ ବୋଲି ଜଣାପଡ଼ିଛି। ବଳଙ୍ଗା ସମେତ ପୁରୀ ଜିଲାର ବିଭିନ୍ନ ଥାନାକୁ ସ୍କେଚ୍ ପଠାଯିବ। ଏଥିସହ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ, ଚିକିତ୍ସାଳୟ ଓ ବସ୍ଷ୍ଟାଣ୍ଡ୍ରେ ସ୍କେଚ୍ ଜାରି କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ରୁପା ମୁଦୀ ଆଧାରରେ ଦୁର୍ବୃତ୍ତଙ୍କ ନିକଟରେ ପହଞ୍ଚିବା ଲାଗି ତଦନ୍ତ ଆରମ୍ଭ କରିଛି ପୁଲିସ। ଗୁରବାର ରାତିରେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଗହଣା ଦୋକାନୀଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି ପୁଲିସ। ସେଠାରୁ ମିଳିଥିବା ରୁପାମୁଦି ଉକ୍ତ ଗହଣା ଦୋକାନରୁ କିଣାଯାଇଥିଲା କି ନାହିଁ, ତାହା ସ୍ପଷ୍ଟ ହୋଇନି।
ଅନୂରୂପ ଭାବେ ପୀଡ଼ିତାଙ୍କ ସଂକ୍ରାନ୍ତରେ ପଚରାଉଚରା କରାଯାଉଥିବା କିଛି ବ୍ୟକ୍ତି ବୟାନ ପରିବର୍ତ୍ତନ କରୁଛନ୍ତି। ଅଲଗା ଅଲଗା ମତ ଦେଉଥିବା ବ୍ୟକ୍ତିଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ସେମାନଙ୍କ ଉପରେ ସନ୍ଦେହପ୍ରକଟ ସହ ନଜର ରଖିଛି ତଦନ୍ତକାରୀ ଦଳ। ସନ୍ଦେହଘେରରେ ଥିବା ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ ହୋଇଛି। ପୁରୁଷ ଓ ମହିଳାଙ୍କୁ ମିଶାଇ ଅତିକମ୍ରେ ୧୦ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ବା ମିଛଧରା ପରୀକ୍ଷା ଲାଗି ଯୋଜନା କରାଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ କ୍ରାଇମ୍ବ୍ରାଞ୍ଚ ଓ ବଳଙ୍ଗା ଥାନାର ୧୫ଜଣିଆ ଦଳ ତନାଘନା ଜାରି ରଖିଛନ୍ତି।
Powered by Froala Editor