ଓଡ଼ିଆ ଭାଷାରେ ଆସିବ ନିଟ ପ୍ରଶ୍ନପତ୍ର

ଭୁବନେଶ୍ୱର: ୨୦୨୧ରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ସେପ୍େଟମ୍ବର ୧୨ରେ ଏନଇଇଟି(ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ)-ୟୁଜି ଅନୁଷ୍ଠିତ ହେବ । ଏହି ଆବେଦନ ପ୍ରକ୍ରିୟା ଅଗଷ୍ଟ ୬ ପର୍ଯ୍ୟନ୍ତ ଜାରି ରହିବ । ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ ସହ ଅଗଷ୍ଟ ୭ ରାତି ୧୧ଟା ୫୦ ସୁଦ୍ଧା ଅନଲାଇନରେ ଫି’ ଦାଖଲ କରିପାରିବେ । ଅଗଷ୍ଟ ୮ରୁ ୧୨ ମଧ୍ୟରେ ଆବେଦନକାରୀ ୱେବସାଇଟରେ ଆପ୍ଲିକେସନ ଫର୍ମରେ ସଂଶୋଧନ କରିପାରିବେ । ଚଳିତବର୍ଷ ଓଡ଼ିଆ ସମେତ ୧୩ଟି ଭାଷା ଯଥା ଇଂରାଜୀ, ହିନ୍ଦୀ, ଆସାମିଜ, ବେଙ୍ଗଲୀ, ଗୁଜୁରାଟୀ, କନ୍ନଡ, ମାଲାୟାଲମ, ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ଓ ଉର୍ଦ୍ଧୁରେ ପ୍ରଶ୍ନପତ୍ର ଆସିବ । କେଉଁ ସହରରେ ପରୀକ୍ଷା କେନ୍ଦ୍ର କରାଯିବ, ସେନେଇ ଅଗଷ୍ଟ ୨୦ରେ ଘୋଷଣା ହେବ । ପରୀକ୍ଷାର ୩ଦିନ ପୂର୍ବରୁ ପରୀକ୍ଷାର୍ଥୀ ଏନଟିଏ ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ଼ କରିପାରିବେ । ସେପ୍େଟମ୍ବର ୧୨ରେ ହେବାକୁ ଥିବା ନିଟ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡରେ ପରୀକ୍ଷା କେନ୍ଦ୍ର, ତାରିଖ ଓ ସିଫ୍ଟ ସମ୍ପର୍କରେ ଉଲ୍ଲେଖ ରହିବ । ପରୀକ୍ଷାଫଳ କେବେ ବାହାରିବ, ସେନେଇ ଏନଟିଏ ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ଛାତ୍ରଛାତ୍ରୀ ଓ ଅଭିଭାବକ ନିୟମିତ ଭାବେ www.nta.ac.in , https://ntaneet.nic.in ୱେବସାଇଟ ପରିଦର୍ଶନ କରିବାକୁ ଏନଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୨ରେ ନିଟ ହେବା ନେଇ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ସୂଚନା ଦେଇଥିଲେ ।
Powered by Froala Editor