ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ ମେଡେ କଲ୍

ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବା ମାତ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ ବିମାନରେ ୨୪୨ଜଣ ଯାତ୍ରୀଥିବା କୁହାଯାଉଛି । ଏଆଇ-୧୭୧ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପୂର୍ବରୁ ପାଇଲଟ ସୁମିତ ସବରୱାଲ ନିକଟସ୍ଥ ଏଟିସି(ଏୟାର ଟ୍ରାଫିକ କଣ୍ଟ୍ରୋଲ)କୁ ମେଡେ କଲ କରିଥିଲେ। ଏହି କଲ ପରେ ଏଟିସିର ଅଧିକାରୀମାନେ ପାଇଲଟଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ପ୍ରକାର ସୂଚନା ମିଳି ପାରି ନଥିଲା। କିଛି ସମୟପରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଃଖଦ ଖବର ମିଳିଥିଲା।
ବିମାନ ଦୁର୍ଘଟଣା ପରେ ଡିଜିସିଏ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର B787 ବିମାନ ଅହମ୍ମଦାବାଦରୁ ଉଡାଣ ଆରମ୍ଭ କରିବାର ତୁରନ୍ତ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନରେ ମୋଟ ୨୪୨ ଜଣ ଥିଲେ, ଯେଉଁଥିରେ ୨ ପାଇଲଟ୍ ଏବଂ ୧୦ଜଣେ କ୍ୟାବିନ କ୍ରୁ ଥିଲେ । ଏହି ବିମାନକୁ କ୍ୟାପଟେନ୍ ସୁମିତ ସବରଓ୍ୱାଲ ଉଡାଉ ଥିଲେ ଏବଂ ତାଙ୍କ ସହିତ ଫାଷ୍ଟ ଅଫିସର କ୍ଲାଇଭ୍ କୁନ୍ଦର ଥିଲେ । ସୁମିତ ସବରଓ୍ୱାଲଙ୍କର ୮୨୦୦ ଘଣ୍ଟା ଉଡାଣ ଅଭିଜ୍ଞତା ଥିବା ବେଳେ କ୍ଲାଇଭଙ୍କର ୧୧୦୦ ଘଣ୍ଟାର ଉଡାଣ ଅଭିଜ୍ଞତା ଥିଲା ।
ମେଡେ କଲ୍ କ’ଣ ?
ଯାତ୍ରା ସମୟରେ ବିମାନର ପାଇଲଟ କିମ୍ବା କ୍ୟାପ୍ଟେନ ଯଦି କୌଣସି ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ଯାଉଥିବା ନେଇ ଅନୁଭବ କରନ୍ତି ସେମାନେ ରେଡିଓରେ ‘ମେଡେ, ମେଡେ, ମେଡେ’ କହିଥାଆନ୍ତି। ଏହି କଲ ସୂଚିତ କରିଥାଏ ଯେ ବିମାନ ବିପଦରେ ଅଛି ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଅଛି ତେଣୁ ତୁରନ୍ତ ସାହାଯ୍ୟର ଆବଶ୍ୟକ ରହିଛି।
ସୂଚନା ଅନୁଯାୟୀ, ମେଡେ କଲ୍ ଦେବା ମାତ୍ରେ, ନିୟନ୍ତ୍ରଣ କକ୍ଷ ସେହି ବିମାନକୁ ପ୍ରାଥମିକତା ଦିଏ ଏବଂ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ତଥା ରନଓ୍ୱେ ସଫା କରିବା, ଆମ୍ୱୁଲାନ୍ସ ଏବଂ ଅଗ୍ନିଶମବାହିନୀକୁ ପ୍ରସ୍ତୁତ ରଖିବା ଭଳି ସୂଚନା ଦେଇଥାଏ ।
କୁହାଯାଏ କି ୧୯୨୩ ମସିହାରେ ଲଣ୍ଡନର କ୍ରୋଏଡନ ବିମାନବନ୍ଦରରୁ ମେଡେ ଶବ୍ଦର ଆରମ୍ଭ ହୋଇଥିଲା। ଏହାକୁ ସେଠାକାର ଜଣେ ରେଡିଓ ଅଧିକାରୀ ଫ୍ରେଡେରିକ ମକଫୋର୍ଡ ଆରମ୍ଭ କରିଥିଲେ। ସେ ଏହାକୁ ଫରାସୀ ଶବ୍ଦ ‘m’aider’ ରୁ ନେଇଥିଲେ, ଯାହାର ଅର୍ଥ ହେଉଛି- “ମୋତେ ସାହାଯ୍ୟ କରନ୍ତୁ!” ଏହାକୁ ୧୯୪୮ ମସିହାରେ ଅନ୍ତର୍ଜାତୀୟ ନିୟମରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯାହା ଦ୍ୱାରା ପ୍ରତ୍ୟେକ ଦେଶର ପାଇଲଟ ଜରୁରୀକାଳୀନ ସ୍ଥିତିରେ ମେଡେ ଶବ୍ଦ ବ୍ୟବହାର କରିବାର ନିୟମ ଲାଗୁ ହୋଇଥିଲା।
Powered by Froala Editor