ଅସୁରକ୍ଷିତ ସଲମାନ : ଦୁଇ ଦିନରେ ଘରେ ପଶିଲେଣି ୨ ଅନୁପ୍ରବେଶକାରୀ

ମୁମ୍ବାଇରେ ଥିବା ସଲ୍ମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଅନୁପ୍ରବେଶ କରିଥିବା ଦୁଇ ଅନୁପ୍ରବେଶକାରୀଙ୍କ ବିରୋଧରେ ମୁମ୍ବାଇ ପୁଲିସ ପୃଥକ ମାମଲା ରୁଜୁ କରିଛି। ଖବର ମୁତାବକ, ପୁଲିସ ପ୍ରଥମେ ଛତିଶଗଡ଼ର ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଯିଏ ମେ ୨୦ ତାରିଖରେ ବଲିଉଡ ସୁପରଷ୍ଟାରଙ୍କୁ ଭେଟିବା ପାଇଁ କୋଠାରେ ପ୍ରବେଶ କରିଥିଲେ। ଦ୍ୱିତୀୟ ମାମଲାଟି ହେଉଛି ମେ ୨୧ ତାରିଖ। ଦ୍ବିତୀୟ ମାମଲାଟି ଆପାର୍ଟମେଣ୍ଟରେ ପ୍ରବେଶ କରିଥିବା ଜଣେ ମହିଳାଙ୍କ ବିରୋଧରେ ପଞ୍ଜୀକୃତ ହୋଇଛି।
ପ୍ରଥମେ ମଙ୍ଗଳବାର ଦିନ ସଲମାନ ଖାନଙ୍କ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ଜଣେ ବ୍ୟକ୍ତି ତାଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ଯୁବକ ଜଣକ କାର ପଛରେ ଲୁଚି ସଲମାନଙ୍କ କୋଠା ପରିସରରେ ପ୍ରବେଶ କରିବାରେ ସଫଳ ମଧ୍ୟ ହୋଇଥିଲେ। ତେବେ ସୁରକ୍ଷାକର୍ମୀମାନେ ତାଙ୍କୁ କୋଠାର ପ୍ରବେଶ ଫାଟକ ପାଖରେ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ଯୁବକଙ୍କ ନାମ ଜିତେନ୍ଦ୍ର କୁମାର ସିଂହ ଏବଂ ସେ ଛତିଶଗଡ଼ର ବୋଲି କୁହାଯାଉଛି।
ବୁଧବାର ବିଳମ୍ବିତ ରାତିରେ ଜଣେ ଅଜଣା ମହିଳା ମଧ୍ୟ ସଲମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ରାତି ପ୍ରାୟ ସାଢ଼େ ୩ଟା ସମୟରେ ଇଶା ଛାବଡ଼ା ନାମ୍ନୀ ମହିଳା ସଲମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପୁଲିସ କହିଛି ଯେ, ମହିଳା ଜଣକ କୋଠାର ଲିଫ୍ଟ ଦେଇ ସିଧାସଳଖ ସଲମାନଙ୍କ ଘରେ ଯାଏଁ ପହଞ୍ଚିଥିଲେ। ସେଠାରେ ଗାଲାକ୍ସି ଆପାର୍ଟମେଣ୍ଟର ସୁରକ୍ଷା କର୍ମୀମାନେ ମହିଳାଙ୍କୁ ଧରି ବାନ୍ଦ୍ରା ପୁଲିସକୁ ହସ୍ତାନ୍ତର କରିଥିଲେ। ଏହାପରେ ସୁରକ୍ଷା କର୍ମୀଙ୍କ ଅଭିଯୋଗକ୍ରମେ ବାନ୍ଦ୍ରା ପୁଲିସ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ଗୁରୁବାର ସକାଳେ ତାଙ୍କୁ ଗିରଫ କରିଛି। ପୁରୁଷ ଏବଂ ମହିଳା ଉଭୟଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି।
Powered by Froala Editor