ସବୁଠି ବର୍ଷୁଛି ନିଆଁ: ଭୁବନେଶ୍ବର ଏବଂ କଟକରେ ପାରଦ ୪୦ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ବର : ଚାରିଆଡ଼େ ଡହଡହ ତାତି। ପଶ୍ଚିମରୁ ଉପକୂଳ ସବୁଠି ଏବେ ନିଆଁ ବର୍ଷୁଛି। ପ୍ରାୟ ଅଞ୍ଚଳରେ ପାରଦ ୪୦ଡିଗ୍ରୀ ଉପରେ। ଉପକୂଳରେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ସୋମବାର ସମ୍ବଲପୁରରେ ପାରଦ ୪୨.୯ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୪୨.୨, ହୀରାକୁଦ ୪୨.୪, ବଲାଙ୍ଗିର ୪୨.୧, ଟିଟିଲାଗଡ଼ ଓ ବୌଦ୍ଧରେ ୪୨ଡିଗ୍ରୀ ରହିଛି। ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ଭୁବନେଶ୍ବର ଏବଂ କଟକରେ ପାରଦ ୪୦ ଡିଗ୍ରୀ ଟପିଛି। ଏଥିସହିତ ଅନୁଗୋଳ ୪୧.୯, ସୁନ୍ଦରଗଡ଼ ୪୧.୫, ଭବାନୀପାଟଣା ୪୧.୬, ସୁବର୍ଣ୍ଣପୁର ୪୧.୫, ପାରଳାଖେମୁଣ୍ଡି ୪୧.୨, ଢେଙ୍କାନାଳ ୪୦.୩, ବରଗଡ଼ ୪୧.୨, ନୂଆପଡ଼ା ୪୧, ରାଉରକେଲା ୪୦.୬, ଭୁବନେଶ୍ବର ୪୦.୪ ଏବଂ କଟକରେ ୪୦ ଡିଗ୍ରୀ ରହିଛି। ଆସନ୍ତା ୨ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଭଦ୍ରକ, କଟକ, ଖୋର୍ଦ୍ଧା, ଅନୁଗୋଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଗଜପତି, ଯାଜପୁର, ଢେଙ୍କାନାଳ, ବରଗଡ଼, ନୂଆପଡ଼ା ଏବଂ ଜଗତସିଂହପୁର ଜିଲାର କିଛି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିବା ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ଦ୍ବାରା ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇପାରେ। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରାହ୍ଣରେ ଗଞ୍ଜାମ, ନୟାଗଡ଼, ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, ବାଲେଶ୍ବର ଏବଂ ଗଞ୍ଜାମ ଜିଲାକୁ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଉପରୋକ୍ତ ଜିଲାଗୁଡ଼ିକ ମଧ୍ୟରୁ କିଛି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
Powered by Froala Editor