ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ
ସରକାର ରାଜ୍ୟରେ ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଆସନ୍ତା ଏପ୍ରିଲ ୨ରୁ ଲାଗୁ ହେବ। ସକାଳ ୭ଟାରୁ ୯ ଟା ଯାଏ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ସମୟ ସାରଣୀ ପ୍ରକାଶ କରାଯାଇାନାହିଁ। ଏହି ସପ୍ତାହ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ଲୋକସେବା ଭବନଠାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।
ବୈଠକରେ ସମସ୍ତ ଜିଲାପାଳ ଓ ଉପସ୍ଥିତ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଗୁଆ ଆସିଛି । ରାଜ୍ୟର ଅନେକ ଜିଲାରେ ତାପମାତ୍ରା ଅଧିକ ରହୁଛି । ସରକାରୀ ସ୍ତରରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯାହା SOP ଜାରି କରାଯାଇଛି, ତାକୁ ଦୃଷ୍ଟିରେ ରଖି ଜିଲାପାଳମାନେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଆବଶ୍ୟକସ୍ଥଳେ SOP ବାହାରେ ମଧ୍ୟ କାମ କରିବା ପାଇଁ ଜିଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।
ସେହିପରି ଶ୍ରମିକମାନଙ୍କ ସମ୍ପର୍କରେ ବି ଘୋଷଣା କରାଯାଇଛି । ଶ୍ରମିକମାନେ ସକାଳ ୧୧ ରୁ ୩ଟାଏ ଯାଏଁ କାମ ନ କରିବାକୁ ନିର୍ଦେଶ ଦିଆଯାଇଛି । ଯେଉଁ ମାଲିକ କାମ କରାଇବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଜଳଛତ୍ର ଖୋଲିବା ସହ ଟ୍ୟୁବୱେଲ ଖନନ ହେବ। ଏ ନେଇ ୩ଶହ କୋଟି ଦିଆଯାଇଛି । ଅଘୋଷିତ ବିଜୁଳି କାଟ ହେବନି। ଘୋଷିତ ବିଜୁଳି କାଟ ବେଶି ସମୟ ହେବନାହି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଟିଭି, ରେଡିଓ, ଖବରକାଗଜ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
Powered by Froala Editor