କେଦାରନାଥରେ ଅଣହିନ୍ଦୁଙ୍କ ଉପରେ ଲାଗିବ କି ରୋକ !

କେଦାରନାଥ ଧାମ୍ରେ ଅଣହିନ୍ଦୁଙ୍କ ପ୍ରବେଶ ଏବଂ ଗତିବିଧି ଉପରେ କଟକଣା ଲଗାଯିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହି ସୂଚନା ସ୍ଥାନୀୟ ବିଧାୟକ ଆଶା ନୌଟିୟାଲ ଦେଇଛନ୍ତି। ସେ କହିଛନ୍ତି ଯେ କିଛି ଅଣହିନ୍ଦୁ ତତ୍ତ୍ୱ କେଦାରନାଥ ଧାମର ପବିତ୍ରତାକୁ ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରୁଛନ୍ତି, ତେଣୁ ସେମାନଙ୍କୁ ରୋକିବାର ଆବଶ୍ୟକତା ରହିଛି।
ସେମାନେ ଏଠାରେ ମାଛ, ମାଂସ, ମଦ ଆଦି ପରଷିବା କାର୍ଯ୍ୟରେ ଲିପ୍ତ ଅଛନ୍ତି। ଫଳରେ କେଦାରନାଥ ଧାମ୍ର ଗରିମା ଏବଂ ସମ୍ମାନକୁ କ୍ଷତି ପହଞ୍ଚୁଛି। ଏଭଳି ତତ୍ତ୍ୱଙ୍କୁ ଚିହ୍ନଟ କରି କେଦାରନାଥ ମନ୍ଦିରରେ ସେମାନଙ୍କର ପ୍ରବେଶ ଉପରେ କଟକଣା ଲଗାଇବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଥିବା ସେ କହିଛନ୍ତି।
ଆଶା ନୌଟିୟାଲ କହିଛନ୍ତି ଯେ ସମ୍ପ୍ରତି ରାଜ୍ୟ ପ୍ରଭାରୀ ମନ୍ତ୍ରୀ ସୌରଭ ବହୁଗୁଣା କେଦାରନାଥରେ ସ୍ଥାନୀୟ ଲୋକ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ କେଦାରନାଥ ଧାମକୁ କିଛି ଅଣହିନ୍ଦୁ ବ୍ୟକ୍ତି ବଦନାମ କରିବାକୁ ଚେଷ୍ଟା କରୁଥିବା ପ୍ରସଙ୍ଗ ମଧ୍ୟ ପ୍ରମୁଖ ଭାବରେ ଉଠାଯାଇଥିଲା।
ତେବେ ଆଶାଙ୍କ ଏହି ମନ୍ତବ୍ୟକୁ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାଓ୍ବତ ସମାଲୋଚନା କରିଛନ୍ତି। ଏହା ଭାଜପାର ସଙ୍କୀର୍ଣ୍ଣ ମାନସିକତାକୁ ଦର୍ଶାଉଥିବା ସେ କହିଛନ୍ତି।
Powered by Froala Editor