ପାକିସ୍ତାନରେ ଟ୍ରେନ୍ ଅପହରଣ, ୪୦୦ ଯାତ୍ରୀ ବନ୍ଧକ

ପାକିସ୍ତାନରେ ମଙ୍ଗଳବାର ଏକ ଟ୍ରେନ୍ ଅପହରଣ କରାଯାଇଛି। ପାକିସ୍ତାନ ରେଳପଥ ଅନ୍ତର୍ଗତ ଜାଫର ଏକ୍ସପ୍ରେସକୁ ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର ସଶସ୍ତ୍ର ବିଦ୍ରୋହୀମାନେ ବୋଲାନଠାରେ ଅପହରଣ କରିନେଇଥିବା ଦାବି କରିଛନ୍ତି । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ସେନା ଅଧିକାରୀ ଓ ଯବାନ ଥିବା କୁହାଯାଉଛି । ଟ୍ରେନକୁ ଅପହରଣ କରିନେବା ପରେ ଆତଙ୍କବାଦୀମାନେ ସେଥିରେ ଥିବା ୬ ସେନା ଅଧିକାରୀଙ୍କୁ ମାରିଦେଇଛନ୍ତି।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବେଲୁଚିସ୍ତାନ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପାକିସ୍ତାନୀ ଗଣମାଧ୍ୟମରେ ଏହା ଦାବି କରାଯାଇଛି ଯେ, ଟ୍ରେନ ଅପହରଣ ସମୟରେ ସୁରକ୍ଷା ବାହିନୀ ଏବଂ ସଶସ୍ତ୍ର ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଟ୍ରେନର ଲୋକୋ ପାଇଲଟ ଆହତ ହୋଇଛନ୍ତି।
ବିଏଲଏ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହି ଅପହରଣ ପାଇଁ ନିଜକୁ ଦାବି କରାଯାଇଛି । ଟ୍ରେନକୁ ମୁକୁଳାଇବାକୁ ପାକିସ୍ତାନୀ ସେନାର ଏକ ଦଳକୁ ପଠାଯାଇଛି । ତେବେ ଟ୍ରେନ ଉପରେ ଯଦି ପାକ୍ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ସମଗ୍ର ଯାତ୍ରୀଙ୍କୁ ହତ୍ୟା କରାଯିବ ବୋଲି ବିଏଲଏ ଧମକ ଦେଇଛି ।
Powered by Froala Editor