ରାମ ମନ୍ଦିରରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର, ସନ୍ଦିଗ୍ଧ ଗିରଫ

ଅଯୋଧ୍ୟାର ପ୍ରସିଦ୍ଧ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରୁଥିବା ପର୍ଦ୍ଦାଫାସ ହୋଇଛି । ଗୁଜରାଟ ଏଟିଏସ୍ ଫରିଦାବାଦ ଏସଟିଏଫ ସହାୟତାରେ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଥିବା ସନ୍ଦେହରେ ସନ୍ଦିଗ୍ଧ ଅବଦୁଲ ରହମାନଙ୍କୁ ଗିରଫ କରିଛି। ସନ୍ଦିଗ୍ଧଙ୍କ ନିକଟରୁ ଦୁଇଟି ହ୍ୟାଣ୍ଡଗ୍ରେନେଡ୍ ଜବତ ହୋଇଥିବା ବେଳେ ଫରିଦାବାଦରେ ସୁରକ୍ଷା ଏଜେନ୍ସି ଗ୍ରେନେଡ୍ କୁ ନିଷ୍କ୍ରିୟ କରିଛି।
ପୋଲିସ ମୁତାବକ, ଗିରଫ ହୋଇଥିବା ସନ୍ଦିଗ୍ଧ ଅବଦୁଲ ପାକିସ୍ତାନର ଗୁଇନ୍ଦାସଂସ୍ଥା ଆଇଏସଆଇର ସମ୍ପର୍କରେ ରହିଥିଲା । ଅଯୋଧ୍ୟା ରାମ ମନ୍ଦିର ଉପରେ ଆତଙ୍କୀ ଆକ୍ରମଣ ପାଇଁ ତାକୁ ପ୍ରସ୍ତୁତ କରାଯାଇଥିଲା ।
ଅବଦୁଲ ରେହମାନ ହେଉଛି ୟୁପିର ବାସିନ୍ଦା। ଅବଦୁଲ ଆଇଏସଆଇ ସହ ଯୋଗାଯୋଗରେ ଥିଲା । ସେ ଫୈଜାବାଦରେ ଏକ ମଟନ ଦୋକାନ ଚଳାଉଥିଲା ଏବଂ ଅଟୋ ଡ୍ରାଇଭର ଭାବରେ ମଧ୍ୟ କାମ କରୁଥିଲା । ଏହି ଷଡ଼ଯନ୍ତ୍ରର ଏକ ଅଂଶ ଭାବରେ ସେ ଅନେକ ଥର ଅଯୋଧ୍ୟାର ରାମ ମନ୍ଦିରର ରେକି କରିଥିଲା ଏବଂ ସମସ୍ତ ସୂଚନା ପାକିସ୍ତାନ ଆଇଏସଆଇକୁ ବାଣ୍ଟିଥିଲା । ଫୈଜାବାଦରୁ ଟ୍ରେନ୍ ଯୋଗେ ଅବଦୁଲ ଫରିଦାବାଦରେ ପହଞ୍ଚି ଜଣେ ହ୍ୟାଣ୍ଡଲର ଠାରୁ ହ୍ୟାଣ୍ଡଗ୍ରେନେଡ୍ ନେଇଥିଲା, ଯାହା ପରେ ସେ ଅଯୋଧ୍ୟା ଫେରିବାକୁ ପ୍ରସ୍ତୁତ ହେଉଥିଲା ।
ଗୁଜରାଟ ଏଟିଏସ୍ ସନ୍ଦିଗ୍ଧକୁ ଗୁଜୁରାଟ ନେଇ ପଚରାଉଚରା ଜାରି ରଖିଛି। ତା’ ନିକଟରୁ ଉଗ୍ରବାଦୀ ସାମଗ୍ରୀ ମଧ୍ୟ ଜବତ କରାଯାଇଛି, ଯାହା ଆତଙ୍କବାଦୀ କାର୍ଯ୍ୟକଳାପକୁ ନିଶ୍ଚିତ କରିପାରିବ।
Powered by Froala Editor