ଆଜି ୪୦ ବୀର ପୁଅଙ୍କୁ ହରାଇଥିଲା ଭାରତ

ନୂଆଦିଲ୍ଲୀ: ଆଜି ଭାରତ ହରାଇଥିଲା ୪୦ ବୀର ପୁଅଙ୍କୁ । ଆମେ କହୁଛୁ ସେହି ପୁଲଓ୍ୱାମା ଆକ୍ରମଣ କଥା । ଯାହା ଭାରତ ପାଇଁ କଳାଦିନ ହୋଇ ରହିଯାଇଛି । ସେଦିନ ଥିଲା ଫେବୃଆରୀ ୧୪ ତାରିଖ ୨୦୧୯ । ରାଜପଥରେ ଲମ୍ୱା ଲାଇନ ହୋଇ ଆଗକୁ ବଢିଚାଲିଥିଲା ସିଆରପିଏଫ ଯବାନଙ୍କ କାଫିଲା । ୭୮ଟି ବସରେ ଟ୍ରାଞ୍ଜିଟ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢେଇ ହଜାର ଯବାନ ।ସବୁ କିଛି ସ୍ୱଭାବିକ ଥିଲା । ହେଲେ ହଠାତ ଶୁଭିଥିଲା ଏକ ବଡ ବିସ୍ଫୋରଣର ଶବ୍ଦ । ଆଉ ଆଖି ଖୋଲି ଚାହିଁଲା ବେଳକୁ ସବୁ କିଛି ଛିନଛତ୍ର ହୋଇଯାଇଛି । ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଆଖପାଖରୁ ୧୦ କିମି ଯାଏ ସାରା ଅଞ୍ଚଳ ଏକ ପ୍ରକାର ଦୋହଲି ଯାଇଥିଲା । ବିସ୍ଫୋରଣର ଶବ୍ଦ ନୀରବି ଗଲା ପରେ ଯାହା ସାମ୍ନାକୁ ଆସିଲା, ତାହା ହୁଏତ ଭାରତ ଇତିହାସରେ କେବେ ବି ଘଟିନଥିଲା ।
ଆତଙ୍କବାଦୀ ଆଦିଲ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ସିଆରପିଏଫର ଅନେକ ଯବାନ ।ଏତିକିରେ ସରିନଥିଲା ନର ରାକ୍ଷସଙ୍କର ଆକ୍ରମଣ, କୋହଲା ପାଗର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧଧୁନ ଗୁଳି ମାଡ । ପାଲଟା ଗୁଳିମାଡ କଲା ବେଳକୁ ଅନେକ କିଛି ହରାଇସାରିଥିଲା ଭାରତ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଯବାନଙ୍କ ଶରୀର । କାହାକୁ ଚିହ୍ନିବା ବି ସମ୍ଭବ ହେଉନଥିଲା । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣାରେ ସାରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା ।ଶ୍ରୀନଗରରୁ ଦିଲ୍ଲୀ ହଲଚଲ ହୋଇଯାଇଥିଲା । ଚାରିଆଡେ ଖେଳିଯାଇଥିଲା ଅବ୍ୟକ୍ତ ନୀରବତା । ଶୋକରେ ବୁଡିଯାଇଥିଲା ପୂରା ଦେଶ । ଆଜି ସେହି ପୁଲଓ୍ୱାମା ଆକ୍ରମଣକୁ ପୂରିଛି ୬ ବର୍ଷ । ଆତଙ୍କୀଙ୍କ ଷଡଯନ୍ତ୍ରରେ ଫସିଯାଇଥିଲେ ଭାରତୀୟ ସାହସୀ ଯବାନ । ଫଳରେ ୪୦ ଜଣ ବୀର ଯବାନଙ୍କୁ ହରାଇଥିଲା ଦେଶ ।
Powered by Froala Editor