ବଜେଟ: ୩ ଲକ୍ଷ କୋଟି ବ୍ୟୟ ବରାଦ ଛୁଇଁବା ସମ୍ଭାବନ

ଭୁବନେଶ୍ବର: ଆରମ୍ଭ ହୋଇଛି ଓଡିଶା ବିଧାନସଭାର ବଜେଟ ଅଧିବେଶନ । ଆସନ୍ତା ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ମୋହନଙ୍କ ପେଡିରେ କ'ଣ ରହିବ ? ତାହାକୁ ନେଇ ଆକଳନ ଆରମ୍ଭ ହୋଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବଜେଟର ଆକାର ପ୍ରାୟ ୩୦ ହଜାର କୋଟି ବୃଦ୍ଧି ହେବ ବୋଲି ଆକଳନ କରାଯାଉଛି । ଫଳରେ ୩ ଲକ୍ଷ କୋଟି ବ୍ୟୟ ବରାଦ ଛୁଇଁବା ସମ୍ଭାବନା ରହିଛି ।
ଆର୍ଥିକବର୍ଷ ୨୦୨୫-୨୬ରେ ବଢିବ ଓଡିଶା ବଜେଟର ଆକାର । ଗତ ଆର୍ଥିକ ବର୍ଷ ତୁଳନାରେ ବଜେଟ ପରିମାଣ ବଢ଼େଇବା ସହ ନିଯୁକ୍ତି ଓ ଉତ୍ପାଦନ ଉପରେ ଗୁରୁତ୍ୱ ଦେବେ ମୋହନ ସରକାର । ଗାଁ'ରେ ଆର୍ଥିକ ସ୍ରୋତ ସୃଷ୍ଟି କରିବାକୁ ସରକାର ଆଣିବେ ନୂଆ ଯୋଜନା । ବଜେଟକୁ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ଯାହାର ଶେଷ ସ୍ପର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକମତ, ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବଙ୍କ ପରାମର୍ଶରେ ପ୍ରସ୍ତୁତ ହୋଇଛି ବଜେଟ । ସେହିପରି ରାଜସ୍ୱ ବୃଦ୍ଧି କରିବା ଉପରେ ସରକାର ଗୁରୁତ୍ୱ ଦେଇ ବଜେଟରେ ବ୍ୟବସ୍ଥା କରିଛନ୍ତି । ସେହିପରି ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଗୁରୁତ୍ୱ ଦେଇ ବଜେଟରେ ଅର୍ଥ ବ୍ୟୟ ବରାଦ ହୋଇଛି । ଶିଳ୍ପ ଓ ପର୍ୟ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । ଆଇଟି, ଷ୍ଟିଲ, ଅକ୍ଷୟ ଶକ୍ତି, ଏଗ୍ରୋ ଇଣ୍ଡଷ୍ଟ୍ରିଜ, ପେଟ୍ରୋକେମିକାଲ ଓ ଟେକ୍ସଟାଇଲ ଉପରେ ଫୋକସ ଦିଆଯାଇଛି । କୃଷକଙ୍କ ଆୟ ବୃଦ୍ଧି ଉପରେ ଜୋର ରହିବ ।
Powered by Froala Editor