ଅସହ୍ୟ ହେଉଥିଲା ରୋଗ ଯନ୍ତ୍ରଣା, ମେଡିକାଲ ଛାତରୁ ଡେଇଁ ପଡ଼ିଲେ

କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଡାଇଲିସିସ୍ କଷ୍ଟ ସହି ନ ପାରି ଜଣେ ରୋଗୀ ମେଡିକାଲ ଛାତ ଉପରୁ ଡେଇଁ ଜୀବନ ହାରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେଲା କଣ୍ଟିପାଳ ମଠସାହି ଗାଁର ବିଜୟ ବେହେରା କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଡାଇଲିସିସ୍ ହେଉଥିଲେ। ଗୁରୁବାର ସକାଳୁ ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିଲେ। ତାଙ୍କ ସାଥୀରେ ପତ୍ନୀ ଶାନ୍ତିଲତା ଥିଲେ। ଡାକ୍ତରଖାନାରେ ବିଜୟଙ୍କର ଡାଇଲିସିସ୍ ହେବାର ଥିଲା। ତାଙ୍କର ନମ୍ବର ଆସିବା ପୂର୍ବରୁ ବିଜୟ ଛାତ ଉପରୁ ଖସିପଡ଼ିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା କର୍ମଚାରୀମାନେ ଉଦ୍ଧାର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଅନ୍ୟପକ୍ଷରେ ତାଙ୍କ ସ୍ତ୍ରୀଙ୍କ କହିବାନୁଯାୟୀ, ଗୁରୁବାର ବିଜୟ ମେଡିକାଲକୁ ଡାଇଲେସିସ ହେବା ପାଇଁ ଆସିଥିଲେ। ହେଲେ ମେଡିକାଲର କୌଣସି କର୍ମଚାରୀ ଆସି ନ ଥିଲେ। ବିଜୟ ବୁଧବାର ରାତିରୁ ଖାଇନଥିଲେ ଓ ସ୍ତ୍ରୀଙ୍କୁ ଜଳଖିଆ ଆଣିବାକୁ ପଠାଇ ଥିଲେ। ସେତିକିବେଳେ ସେ ବାଥରୁମ୍ ବଦଳରେ ଭୁଲ୍ରେ ଅନ୍ୟ ଦ୍ୱାର ଖୋଲି ସେଠାର ଛାତକୁ ଯାଇଥିଲେ। ତେବେ ମୁଣ୍ଡ ବୁଲାଇବାରୁ ସେ ତଳକୁ ଖସିପଡ଼ିଥିବା ପତ୍ନୀ ଶାନ୍ତିଲତା କହିଛନ୍ତି। ଖବରପାଇ ଘଷିପୁରା ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor