୧୮ରୁ ଯୁକ୍ତ ଦୁଇ ପରୀକ୍ଷା: କପି ରୋକିବା ପାଇଁ ୫ ଥାକିଆ ସ୍କ୍ୱାର୍ଡ, ୪୫ ଦିନ ପରେ ରେଜଲ୍ଟ

ଫେବ୍ରୁଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଯୁକ୍ତ ଦୁଇ ଥିଓରୀ ପରୀକ୍ଷା-୨୦୨୫ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆସନ୍ତା ୧୮ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲାର ୧୨୭୬ ସେଣ୍ଟରରେ ୩,୯୩,୬୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି। ଯୁକ୍ତ ୨ ପରୀକ୍ଷା ସରିବାର ୪୫ ଦିନ ପରେ ରେଜଲ୍ଟ ପ୍ରକାଶ ପାଇବ। ଯେଉଁ ନିୟମ ରହିଛି ସେହି ଅନୁସାରେ ରେଜଲ୍ଟ ବାହାରିବ ବୋଲି ସିଏଚ୍ଏସ୍ଇ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ଏଥିପାଇଁ ଭିଡିଓ କନଫରେନ୍ସିଂ ଯୋଗେ ପ୍ରସ୍ତୁତି ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ସବୁ ସତର୍କତା ଓ ପ୍ରତିକାର ବ୍ୟବସ୍ଥା ସତ୍ତ୍ୱେ ଅଧିକାଂଶ ବର୍ଷ ସାମ୍ନାକୁ ଆସୁଛି ପ୍ରଶ୍ନପତ୍ର ଲିକ ଓ ଭାଇରାଲ୍ ଅଭିଯୋଗ। ଏଥର ୧ ହଜାର ୨୭୬ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ପ୍ରଶ୍ନ ପତ୍ର ଲିକ ବା ଗୁଜବ କଲେ, ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି ଯେ, ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ୍ ୩,୯୩,୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ରାଜ୍ୟର ୧୨୭୬ଟି କେନ୍ଦ୍ରରେ ଏହି ପରୀକ୍ଷା ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାରେ କପି ରୋକିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
କପି ରୋକିବା ପାଇଁ ହୋଇଛି ୫ ଥାକିଆ ସ୍କ୍ୱାର୍ଡ ବ୍ୟବସ୍ଥା ରହିବ। ପରୀକ୍ଷା କେନ୍ଦ୍ରରେ ଅଚାନକ ଚଢାଉ କରିବେ ସ୍କ୍ୱାର୍ଡ। ୩୦ ଜିଲ୍ଲାର ୩୫ଟି ଜାଗାରେ ଆଗୁଆ ସ୍କ୍ୱାର୍ଡ ରହିବେ। ସେମାନଙ୍କ ପରିଚୟ କେହି ଜାଣିବେନି। ବିଭ୍ରାନ୍ତିକର ଖବର କିମ୍ବା ଗୁଜବ ଖବରରୁ ପିଲାମାନଙ୍କୁ ଦୂରେଇ ରହିବାକୁ ଅପିଲ୍ କରିଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ପ୍ରଶାନ୍ତ ପରିଡ଼ା। ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପାନୀୟ ଜଳର ବ୍ୟବସ୍ଥା କରାଯିବ।
Powered by Froala Editor