ଆସନ୍ତାକାଲି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସିବ ବଜେଟ୍

ନୂଆଦିଲ୍ଲୀ: ଆସନ୍ତାକାଲି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସିବ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପନ କରିବେ । ଗତବର୍ଷ(୨୦୨୪) ନିର୍ବାଚନ ପୂର୍ବରୁ ଫେବୃଆରୀରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ । ଏହାପରେ ଜୁଲାଇ ୨୩ରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ସାଧାରଣ ବଜେଟ ବ୍ୟତୀତ ଏଥିରେ ପ୍ରାୟ ୧୬ଟି ବିଲ ଆଗତ କରିବେ ମୋଦି ସରକାର । ଏଥିରେ ବହୁଚର୍ଚ୍ଚିତ ଓ୍ବାକଅଫ ସଂଶୋଧନ ବିଲ ମଧ୍ୟ ରହିଛି । ନିକଟରେ ଯୁଗ୍ମ ସଂସଦୀୟ କମିଟିର ଅନୁମୋଦନ ଲାଭ କରିଥିବା ଏହି ବିଲ ଗୃହରେ ଆଗତ ହୋଇ ଆଲୋଚନା ବେଳେ ଜୋରଦାର ବିତର୍କ ଦେଖାଯିବା ନେଇ ଆଶା କରାଯାଉଛି । ସେହିପରି ଏକକ ନିର୍ବାଚନ ବିଲ ମଧ୍ୟ ଆଗତ ହେବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ଆଜିଠୁ ସଂସଦ ବଜେଟ୍ ଅଧିବେଶନ । ୨୦୨୪-୨୫ ଆର୍ଥିକ ବର୍ଷର ‘ଇକୋନୋମିକ ସର୍ଭେ ରିପୋର୍ଟ’ ଆଗତ ହେବ । ଏହା ପୂର୍ବରୁ ଉଭୟ ଗୃହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଉଭୟ ଗୃହକୁ ସମ୍ବୋଧନ କରି କହିଛନ୍ତି ଯେ, "ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ହୋଇଛି । ଭାରତୀୟ ଗଣତନ୍ତ୍ର ୭୫ ବର୍ଷର ଯାତ୍ରା ପୂରା କରିଛି । ଦେଶବାସୀଙ୍କ ତରଫରୁ ବାବାସାହେବ ଆମ୍ବେଦକରଙ୍କ ସମେତ ସମସ୍ତ ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଉଛି । ମହାକୁମ୍ଭ ଐତିହାସିକ ପର୍ବ ଜାରି ରହିଛି । ଏହି ଅବସରରେ ପ୍ରୟାଗରାଜକୁ ଦେଶ ବିଦେଶରୁ ଭକ୍ତ ଆସି ସ୍ନାନ କରୁଛନ୍ତି । ମହାକୁମ୍ଭରେ ମୌନି ଅମାବାସ୍ୟାରେ ଘଟିଥିବା ଅଘଟଣରେ ମୃତକଙ୍କ ପାଇଁ ଶୋକ ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । କିଛି ଦିନ ପୂର୍ବେ ଆମେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ହରାଇଛୁ । ସେ ୧୦ ବର୍ଷ ଧରି ଲୋକଙ୍କ ସେବା କରିଛନ୍ତି ଓ ଦୀର୍ଘ ସମୟ ଧରି ସଂସଦର ସଦସ୍ୟ ରହିଛନ୍ତି । ତାଙ୍କୁ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ବର୍ତ୍ତମାନ ଦେଶ ବିକାଶ ଦିଗରେ ଗତି କରୁଛି । ଦେଶରେ ଗରିବ, ମଧ୍ୟମବର୍ଗ, ୟୁବ, ମହିଳା, ଓ କୃଷକଙ୍କୁ ପ୍ରାଥମିକତା ମିଳୁଛି ।"
Powered by Froala Editor