ୟୁସିସିର ମୂଳଦୁଆ ପକାଇଲା ଉତ୍ତରାଖଣ୍ଡ : ରହିବ ନାହିଁ ଭେଦଭାବ

ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ଲାଗୁ କଲା ୟୁନିଫର୍ମ ସିଭିଲ୍ କୋଡ୍ । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ UCC (Uniform Civil Code ) ପୋର୍ଟାଲର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଏଥି ସହିତ ରାଜ୍ୟ ବାହାରେ ରହୁଥିବା ଉତ୍ତରାଖଣ୍ଡର ବାସିନ୍ଦାଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହି ଆଇନ ପାଇଁ ଦିନରାତି କଠିନ ପରିଶ୍ରମ କରିଛନ୍ତି। ସମସ୍ତେ ସମନ୍ବୟ ରଖି କାମ କରିଛନ୍ତି। ଆମେ ସମାନତା ପ୍ରତିଷ୍ଠା ଲକ୍ଷ୍ୟରେ ସୃଷ୍ଟି ହୋଇଥିବା ୟୁସିସି କାର୍ଯ୍ୟକାରୀ କରୁଛୁ। ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ୟୁସିସି ସଦଭାବନାପୂର୍ଣ୍ଣ ସମାଜର ମୂଳଦୁଆ ପକାଇବ । ଧର୍ମ, ଜାତି, ଲିଙ୍ଗ ଓ ସଂପ୍ରଦାୟକୁ ନେଇ ଭେଦଭାବ ରହିବ ନାହିଁ । ଆଜି ଏହି ମୁହୂର୍ତ୍ତଟି ମୋ ପାଇଁ ବହୁତ ଭାବପ୍ରବଣ। ଏହି ଆଇନ କାର୍ଯ୍ୟକାରୀ ହେଲେ ବହୁବିବାହ ଏବଂ ତ୍ରିପଲ ତଲାକ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯିବ।
ସମ୍ପତ୍ତିରେ ପୁଅ ଝିଅଙ୍କ ସମାନ ଅଧିକାର: ଯିଏ ଯେକୌଣସି ବର୍ଗର ହୋଇଥାଆନ୍ତୁ ନା କାହିଁକି, ୟୁନିଫର୍ମ ସିଭିଲ୍ କୋଡରେ ସମ୍ପତ୍ତି ଉପରେ ଉଭୟ ପୁଅ ଓ ଝିଅଙ୍କର ସମାନ ଅଧିକାର ରହିବ ।
ବିବାହ ବ୍ୟବସ୍ଥା: ଏକାଧିକ ବିବାହ ଉପରେ କଟକଣା । ଏହି ଆଇନରେ ଜଣେ ଜଣକୁ ବିବାହ କରିବାର ବ୍ୟବସ୍ଥା ରହିଛି । ମାନସିକ ଭାବେ ସୁସ୍ଥ ଥିବା 21 ବର୍ଷର ଯୁବକ ଓ 18 ବର୍ଷର ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ । ନିଜର ଧାର୍ମିକ ପରମ୍ପରାରେ ବିବାହ ହୋଇପାରେ, କିନ୍ତୁ ବିବାହ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ।
ଲିଭ-ଇନ ସମ୍ପର୍କ ପାଇଁ ପଞ୍ଜୀକରଣ ମଧ୍ୟ ଆବଶ୍ୟକ : ୟୁସିସିରେ ଲିଭ-ଇନ ସମ୍ପର୍କରେ ରହିବା ପାଇଁ ପିତାମାତାଙ୍କ ଅନୁମତି ଆବଶ୍ୟକ ହେବ। ଦମ୍ପତିଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ ରେଜିଷ୍ଟ୍ରାରଙ୍କୁ ଜଣାଇବାକୁ ପଡିବ ଏବଂ ଯଦି ସେମାନେ ସମ୍ପର୍କ ଶେଷ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ରେଜିଷ୍ଟ୍ରାରଙ୍କୁ ଜଣାଇବାକୁ ପଡିବ। ଏକ ମାସରୁ ଅଧିକ ସମୟ ପାଇଁ ପଞ୍ଜୀକରଣ ବିନା ଲିଭ-ଇନ ସମ୍ପର୍କରେ ରହିବା ପାଇଁ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ।
ଅବୈଧ ଓ ବୈଧ ସନ୍ତାନ ଦ୍ୱନ୍ଦ୍ୱ ଦୂର : ବୈଧ ଓ ଅବୈଧ ସନ୍ତାନଙ୍କ ମଧ୍ୟରେ ପାର୍ଥକ୍ୟ ରହିବନି । ସମ୍ପତ୍ତିରେ ସମାନ ଅଧିକାର ରହିବ । ସବୁ ସନ୍ତାନଙ୍କୁ ଜନ୍ମିତ ସନ୍ତାନଭାବେ ବିବେଚନା କରାଯିବ ।
ପୋଷ୍ୟ ସନ୍ତାନ ଓ ଜନ୍ମିତ ସନ୍ତାନ : ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ସନ୍ତାନ, ସରୋଗେସୀ ମାଧ୍ୟମରେ ଜନ୍ମିତ ସନ୍ତାନ କିମ୍ୱା ବୈଷୟିକ ପଦ୍ଧିତିରେ ଗର୍ଭଧାରଣ ଦ୍ୱାରା ଜନ୍ମିତ ସନ୍ତାନଙ୍କୁ ସମାନ ଦୃଷ୍ଟିରେ ଦେଖାଯିବ ।
ବିବାହ ପରେ ଛାଡପତ୍ର ପଞ୍ଜୀକରଣ: ଏହି ଆଇନ ମାଧ୍ୟମରେ, ବିବାହ ପରି ଛାଡପତ୍ର ପଞ୍ଜୀକରଣ ମଧ୍ୟ ଜରୁରୀ, ଯାହା ୱେବ ପୋର୍ଟାଲ ମାଧ୍ୟମରେ କରାଯାଇପାରିବ।
Powered by Froala Editor