ଓଡିଶା ପୋଲିସର ୪୧ ଜଣ ଅଧିକାରୀ ରାଜ୍ୟପାଳ ପୋଲିସ ପଦକରେ ସମ୍ମାନିତ
ଭୁବନେଶ୍ବର: ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପୋଲିସ ପଦକରେ ସମ୍ମାନିତ ହେଲେ ଓଡିଶା ପୋଲିସର ୪୧ ଜଣ ଅଧିକାରୀ । ଆଜି ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ ସମାରୋହରେ ଏହି ଅଧିକାରୀମାନଙ୍କୁ ରାଜ୍ୟପାଳ ହରିବାବୁ କାମ୍ଭମପତି ସେବା ମେଡାଲରେ ସମ୍ମାନିତ କରିଛନ୍ତି । କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ସଚିବ ସତ୍ୟବ୍ରତ ସାହୁ, ପୋଲିସ ଡିଜି ଓ୍ବାଇବି ଖୁରାନିଆ ଓ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।ବର୍ଷ ୨୦୧୯ରୁ ୨୦୨୪ ମଧ୍ୟରେ ଉଲ୍ଲେଖନୀୟ ସେବା ପାଇଁ ଏହି ଅଧିକାରୀମାନଙ୍କୁ ଆଜି ରାଜ୍ୟପାଳ ପୋଲିସ ମେଡାଲରେ ସମ୍ମାନିତ କରାଯାଇଛି । ୨୦୨୪ ମସିହା ପାଇଁ ୧୮ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ୨୦୨୧ ମସିହା ପାଇଁ ୨୦ ଜଣଙ୍କୁ ଏହି ପଦକ ପ୍ରଦାନ କରାଯାଇଛି । ୨୦୧୯, ୨୦୨୦ ଓ ୨୦୨୩ ପାଇଁ ଜଣେ ଲେଖାଏଁ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ୨୦୨୪ ପାଇଁ ଦକ୍ଷିଣାଞ୍ଚଳ-ଆଇଜି ଡଃ.ସାର୍ଥକ ଷଡଙ୍ଗୀ, ଓଡିଶା ସଶସ୍ତ୍ର ପୋଲିସ୍ ବଳ (ଓଏସଏପି) ଷଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ସୂର୍ୟ୍ୟ ନାରାୟଣ ମଲ୍ଲିକ, ଭିଜିଲାନ୍ସ ଅତିରିକ୍ତ ଏସ୍ପି ସୁଶାନ୍ତ କୁମାର ବିଶ୍ୱାଳ, ଗଞ୍ଜାମ ଅତିରିକ୍ତ ଏସ୍ପି ରାଜୀବ ଲୋଚନ ପଣ୍ଡା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ସମେତ ୧୮ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି ।ସେହିପରି ବିଶିଷ୍ଟ ସେବା ବର୍ଗରେ ବର୍ଷ ୨୦୨୪ ପାଇଁ ସ୍ୱାଧୀନତା ଦିବସ ନିମିତ୍ତ ଟ୍ବିଟସିଟି ପୋଲିସ କମିଶନର ଏସ.ଦେବଦତ୍ତ ସିଂହଙ୍କୁ ଓ ସଚିଦାନନ୍ଦ ରଥଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯାଇଛି । ରାଜ୍ୟପାଳ ପଦକ ୨୦୨୧ ପାଇଁ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ରାଜ୍ୟପାଳଙ୍କଠାରୁ ପୁରସ୍କୃତ ହୋଇଛନ୍ତି । ବରିଷ୍ଠ ଆଇପିଏସ ଅଖିଳେଶ୍ୱର ସିଂହଙ୍କୁ ୨୦୧୯ ପାଇଁ ରାଜ୍ୟପାଳ ପଦକ, ୨୦୨୦ ପାଇଁ ବ୍ରିଜେଶ ରାୟ ଏବଂ ବର୍ଷ ୨୦୨୩ ପାଇଁ ସମ୍ବଲପୁର ଏସପି ମୁକେଶ କୁମାର ଭାମୁଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି ।
Powered by Froala Editor