ଜିରୋ ଭିଜିବିଲିଟି ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର
ଭୁବନେଶ୍ବର: ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି । ଅଧିକାଂଶ ଜିଲ୍ଲାରେ ଜିରୋ ଭିଜିବିଲିଟି ନେଇ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଦେଖାଯିବନି ରାସ୍ତା। ରାତି ୨ଟାରୁ ସକାଳ ୯ ଟା ପର୍ୟ୍ୟନ୍ତ ରହିବ ଘନ କୁହୁଡ଼ିର ପ୍ରଭାବ। ଘାଟି ରାସ୍ତା ସହ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।
ସେହିଭଳି ୨୬ ତାରିଖରେ ଘନ କୁହୁଡି ନେଇ ସୁନ୍ଦରଗଡ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, ପୁରୀ, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୭ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ଦୃଶ୍ୟମାନ କ୍ଷମତା ରହିବ। କିଛି ଜିଲ୍ଲାରେ ଜିରା ଭିଜିବିଲିଟି ମଧ୍ୟ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଛି। ଫଳରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ଘନ କୁହୁଡି ଅନୁଭୂତ ହେଉଛି ବୋଲି ପାଣିପାଗ କେନ୍ଦ୍ର କହିଛି।
Powered by Froala Editor