ଆଜି ଅର୍ଥମନ୍ତ୍ରୀଙ୍କ ହାଲୱା ସମାରୋହ

ନୂଆଦିଲ୍ଲୀ: ବଜେଟ୍ ଆସିବାର ତାରିଖ ପାଖେଇ ଆସୁଛି। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ପ୍ରସ୍ତୁତି ପରେ ପ୍ରତିବର୍ଷ ହାଲୱା ସମାରୋହ ଅନୁଷ୍ଠିତ ହୋଇଥାଏ। ଚଳିତ ଥର ଏହି କାର୍ୟ୍ୟକ୍ରମ ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ଶୁକ୍ରବାର ଅପରାହ୍ନ ୫ଟାରେ ନର୍ଥ ବ୍ଲକରେ ଆୟୋଜିତ ହେବ।
ହାଲୱା ସମାରୋହ ଏଭଳି ଏକ ପରମ୍ପରା, ଯାହା ବର୍ଷ ବର୍ଷ ଧରି ପାଳନ କରାଯାଇ ଆସୁଛି। ଯେପରି କୌଣସି ଶୁଭ କାର୍ୟ୍ୟ ପୂର୍ବରୁ ମୁହଁ ମିଠା କରାଯାଏ, ସେହିଭଳି ବଜେଟ୍ ପୂର୍ବରୁ ହାଲୱା ସମାରୋହ ଆୟୋଜନ କରି ମୁହଁ ମିଠା କରାଯାଇଥାଏ। ଏହାପରେ ଅର୍ଥ ମନ୍ତ୍ରଣାଳୟରେ ବଜେଟ୍ ପ୍ରସ୍ତୁତ କରିଥିବା ଅଧିକାରୀମାନଙ୍କ ପାଇଁ କ୍ବାରେଣ୍ଟାଇନ୍ ଅବଧି ଆରମ୍ଭ ହୁଏ।
ହାଲୱା ସମାରୋହ ଶେଷ ହେବା ସହ ଆଜିଠାରୁ ‘ଲକ୍ ଇନ୍’ ଅବଧି ଆରମ୍ଭ ହେବ। ‘ଲକ୍ ଇନ୍’ ଅବଧିରେ ବଜେଟ୍ ତିଆରି ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ କର୍ମଚାରୀ ଏବଂ ଅଧିକାରୀ ନର୍ଥ ବ୍ଲକର ବେସ୍ମେଣ୍ଟକୁ ଚାଲିଯାଆନ୍ତି। ପ୍ରାୟ ୧୦ ଦିନ ପରେ ବଜେଟ୍ ଦିନ ଅର୍ଥମନ୍ତ୍ରୀ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣ ପଢି ସାରିବାପରେ ସେମାନେ ବାହାରକୁ ଆସନ୍ତି। ଏହି ୧୦ ଦିନ ମଧ୍ୟରେ ଏହି କର୍ମଚାରୀ ତଥା ଅଧିକାରୀମାନେ ସେମାନଙ୍କ ପରିବାର ସହ ସମଗ୍ର ବିଶ୍ୱରୁ ବିଚ୍ଛିନ୍ନ ହୋଇଯାଇଥାନ୍ତି। ବଜେଟ୍ ଭାଷଣ ପୂର୍ବରୁ ବଜେଟ୍ ସମ୍ବନ୍ଧୀୟ ସୂଚନା ଲିକ୍ ନହେବା ପାଇଁ ଏପରି କରାଯାଇଥାଏ।
Powered by Froala Editor