ରାତିରେ କୁହୁଡ଼ି ଘେରୁଛି, ଦିନରେ ଟାଇଁ ଟାଇଁ ଖରା
ରାଜ୍ୟରେ ଦିନ ତାପମାତ୍ରା ୩୫ ଡିଗ୍ରୀ ପାଖାପାଖି ଛୁଇଁଲାଣି। ରାତିରେ କୁହୁଡି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଥିବା ବେଳେ ଦିନରେ ଟାଇଁ ଟାଇଁ ଖରା ଅନୁଭୂତ ହେଉଛି। କୋରାପୁଟରେ ତ ୫୨ ବର୍ଷର ରେକର୍ଡ ଭାଙ୍ଗିଛି ଜାନୁଆରୀର ତାପମାତ୍ରା । ପାଗରେ ହଠାତ୍ ଏଭଳି ପରିର୍ତ୍ତନକୁ ନେଇ ଚିନ୍ତା ବଢିଛି ।
ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁଯାୟୀ ଗତକାଲି କୋରାପୁଟରେ ସର୍ବାଧିକ ତାପମାତ୍ରା ଥିଲା ୩୩.୨ ଡିଗ୍ରୀ । ଯାହା ୫୨ ବର୍ଷର ରେକର୍ଡ ଭାଙ୍ଗିଛି । ରାତିରେ ହାଲକା ଥଣ୍ଡା ପରିବେଶ ରହୁଥିଲେ ବି ସୂର୍ଯ୍ୟୋଦୟ ପରେ ଟାଇଁ ଟାଇଁ ଖରା । ଉପକୂଳ ଓଡ଼ିଶା ଏବଂ ବଙ୍ଗୋପସାଗର ଉପରେ ଏବେ ଏକ ଆଣ୍ଟି ସାଇକ୍ଲୋନିକ୍ ଷ୍ଟର୍ମ ରହିଛି । ଏହାର ପ୍ରଭାବରେ ଆଦ୍ରତାଯୁକ୍ତ ବାୟୁ ବହୁଛି । ସେଠାରେ ତାପମାତ୍ରା ଅଧିକ ଥିବାରୁ ଏଠାରେ ବି ଗରମ ଅନୁଭୂତ ହେଉଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି ।
ଗୁରୁବାର ବାଲେଶ୍ୱର, ଭଦ୍ରକ, କଟକ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୪.୨ ଡିଗ୍ରୀ ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି।
ଆସନ୍ତା ୩ଦିନରେ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Powered by Froala Editor