୨୦ ମିନିଟ୍ ବିଳମ୍ବ ହୋଇଥିଲେ ମୁଁ ଓ ଭଉଣୀ ବଞ୍ଚି ନଥାନ୍ତୁ : ହସିନା

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ସେ ତୁରନ୍ତ ଦେଶ ଛାଡ଼ି ନ ଥିଲେ ୨୦ ମିନିଟ ମଧ୍ୟରେ ତାଙ୍କୁ ଏବଂ ତାଙ୍କ ଭଉଣୀ ରେହାନାଙ୍କୁ ବିରୋଧୀମାନେ ହତ୍ୟା କରିଥାଆନ୍ତେ ବୋଲି ହସିନା କହିଛନ୍ତି। ଶେଖ ହସିନା ଗତବର୍ଷ ଅଗଷ୍ଟ ମାସରେ ନିଜ ଜୀବନ ବଞ୍ଚାଇ ଭାରତ ପଳାଇ ଆସିଥିଲେ। ଏହାପରେ ମହମ୍ମଦ ୟୁନୁସ ଦେଶର ଅନ୍ତରୀଣ ଶାସକ ହୋଇଥିଲେ। ପାଖାପାଖି ୫ ମାସ ପରେ ହସିନାଙ୍କ ଏକ ଅଡିଓ ସାମ୍ନାକୁ ଆସିଛି । ଆୱାମୀ ଲିଗ୍ ପକ୍ଷରୁ ଜାରି ଏକ ଅଡିଓ ବାର୍ତ୍ତାରେ ଭୟଭୀତ ଶେଖ୍ ହସିନା କହୁଛନ୍ତି, 'ରେହାନା (ଭଉଣୀ) ଏବଂ ମୁଁ ମାତ୍ର ୨୦-୨୫ ମିନିଟ୍ ବ୍ୟବଧାନରେ ମୃତ୍ୟୁରୁ ବର୍ତ୍ତି ଯାଇଥିଲୁ।
ବାଂଲାଦେଶରେ ସୃଷ୍ଟି ହୋଇଥିବା ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ବିରୋଧୀମାନେ ଏହାକୁ ଅସ୍ତ୍ର କରି ହସିନାଙ୍କୁ କ୍ଷମତାଚ୍ୟୁତ କରିବାକୁ ଯୋଜନା କରିଥିଲେ। ଏପରି କି ହସିନାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ମଧ୍ୟ କରାଯାଇଥିଲା। ହେଲେ ଏହା ପୂର୍ବରୁ ହସିନା ଏବଂ ତାଙ୍କ ଭଉଣୀ ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ। ଏହି ହିଂସାରେ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।
ହସିନା ବିଶ୍ୱାସ କରୁଥିଲେ ଯେ ଇଶ୍ବରଙ୍କ ଦୟାରୁ ସେ ଜୀବିତ ବଞ୍ଚିଯାଇଥିଲେ। ‘ପ୍ରଥମେ ଅଗଷ୍ଟ ୨୧ ( ୨୦୦୪) ରେ ଗ୍ରେନେଡ୍ ଆକ୍ରମଣ, ତା'ପୂର୍ବରୁ ୨୦୦୦ରେ କୋଟାଲିପଡ଼ା ବୋମା ବିସ୍ଫୋରଣର ଷଡ଼ଯନ୍ତ୍ର ଏବଂ ଏବେ ଏହି ସଦ୍ୟତମ ଆକ୍ରମଣ। ଇଶ୍ବରଙ୍କ ଦୟାରୁ ରେହାନା ଓ ମୁଁ ବଞ୍ଚି ଯାଇଥିଲୁ। ନଚେତ୍ ଆମେ ବଞ୍ଚି ନଥାନ୍ତୁ।‘
Powered by Froala Editor