ନିଜ ମନ୍ତବ୍ୟ ଲାଗି ଭାରତକୁ କ୍ଷମା ମାଗିଲେ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ: ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍କୁ ପରିଚାଳନା କରୁଥିବା କମ୍ପାନୀ ମେଟାର ସିଇଓ ମାର୍କ ଜୁକରବର୍ଗ ଶେଷରେ ନିଜ ମନ୍ତବ୍ୟ ଲାଗି ଭାରତକୁ କ୍ଷମା ମାଗିଛନ୍ତି । ମେଟା ଇଣ୍ଡିଆର ଉପସଭାପତି ଶିବନାଥ ଠୁକରାଲ ମାର୍କ ଜୁକରବର୍ଗଙ୍କ ତରଫରୁ କ୍ଷମା ମାଗିଥିବା ଜଣାପଡ଼ିଛି । ସେ ଏହାକୁ 'ଅଜଣା ଭୁଲ' ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜୁକରବର୍ଗଙ୍କ ମନ୍ତବ୍ୟକୁ ନେଇ କଡ଼ା ନିନ୍ଦା କରିଥିବା ବେଳେ ସେପଟେ ସାଂସଦ ନିଶିକାନ୍ତ ଦୁବେ କ୍ଷମା ମାଗିବାକୁ ଦାବି କରିଥିଲେ ।
ମେଟା ସିଇଓ ମାର୍କ ଜୁକରବର୍ଗ ଏକ ପଡକାଷ୍ଟରେ କହିଥିଲେ ଯେ ବର୍ଷ ୨୦୨୪ ପୂରା ଦୁନିଆକୁ ହଲଚଲ କରିଥିଲା । କୋଭିଡ଼ ମହାମାରୀ ସମୟରେ ସରକାରଙ୍କ ପ୍ରତି ଲୋକଙ୍କ ଭରସା ହ୍ରାସ ପାଇଥିଲା । ଫଳରେ ମହାମାରୀ ପରେ ହୋଇଥିବା ନିର୍ବାଚନରେ ଭାରତ ସମେତ ଅନେକ ଦେଶର ସରକାରଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଜୁକରବର୍ଗଙ୍କ ଏହି ମନ୍ତବ୍ୟକୁ ନେଇ ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ହେବା ସହ ଅନେକ ନେତା କ୍ଷମା ପ୍ରାର୍ଥନା ପାଇଁ ଦାବି କରିଥିଲେ ।ଆଇଟି ସଂସଦୀୟ ପ୍ୟାନେଲର ମୁଖ୍ୟ ତଥା ବିଜେପି ସାଂସଦ ଡଃ ନିଶିକାନ୍ତ ଦୁବେ, ମେଟା ଇଣ୍ଡିଆ ପକ୍ଷରୁ କ୍ଷମା ପ୍ରାର୍ଥନା ପରେ ଏହା ଭାରତର ସାଧାରଣ ନାଗରିକଙ୍କ ବିଜୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ କ୍ଷମା ଭାରତୀୟ ସଂସଦ ଓ ସରକାରଙ୍କ ପ୍ରତି ସାଧାରଣ ନାଗରିକଙ୍କ ଭରସାକୁ ଦର୍ଶାଉଛି ।
ମାର୍କ ଜୁକରବର୍ଗ ଭୁଲ ତଥ୍ୟ ଦେଇଥିବା ଦର୍ଶାଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କହିଛନ୍ତି, "ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବରେ ଭାରତରେ ୬୪୦ ମିଲିୟନରୁ ଅଧିକ ଭୋଟରଙ୍କ ସହିତ ୨୦୨୪ ନିର୍ବାଚନ ହୋଇଥିଲା । ଭାରତବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ଉପରେ ସେମାନଙ୍କର ବିଶ୍ୱାସକୁ ନିଶ୍ଚିତ କରିଛନ୍ତି । କିନ୍ତୁ ମାର୍କ ଜୁକରବର୍ଗଙ୍କ ଦାବି ଯେ ୨୦୨୪ ନିର୍ବାଚନରେ ଭାରତ ସମେତ ଅଧିକାଂଶ ସରକାର କୋଭିଡ଼ ପରବର୍ତ୍ତୀ ସମୟରେ ପରାଜୟ ବରଣ କରିଛନ୍ତି । ଯାହାକି ମିଥ୍ୟା ।'
ସେ ଆହୁରି କହିଥିଲେ, "ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ଭାରତ ମହାମାରୀ ସମୟରେ ୮୦୦ମିଲିୟନ ଲୋକଙ୍କ ଲାଗି ମାଗଣା ଖାଦ୍ୟ, ୨.୨ ବିଲିୟନ ମାଗଣା ଭ୍ୟାକ୍ସିନ, କୋଭିଡ ସମୟରେ ବିଶ୍ବବ୍ୟାପୀ ସହଯୋଗ ପ୍ରଦାନ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ତୃତୀୟ ପାଳି ଉନ୍ନତ ଗର୍ଭନାନ୍ସ ଓ ଜନତାଙ୍କ ବିଶ୍ବାସର ପ୍ରତିଫଳନ । ମାର୍କ ଜୁକରବର୍ଗଙ୍କ ଦ୍ବାରା ମିଥ୍ୟା ଖବର ପ୍ରଚାର କରିବା ନିରାଶଜନକ । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ସରକାର ଉପରେ ତୃତୀୟ ଥର ଲାଗି ଭରସା କରିଛନ୍ତି । ଏହା ପ୍ରମାଣ କରିଛି ଯେ ମାର୍କ ଜୁକରବର୍ଗ ମିଛ ଖବର ଦେଇଛନ୍ତି ।"
Powered by Froala Editor