କାଲିଫର୍ଣ୍ଣିଆ ବନାଗ୍ନି: ୨୪କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା
କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଲାଗିଥିବା ବନାଗ୍ନି ଥମିବାର ନାଁ ନେଉନାହିଁ। ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ନିଆଁ ଏପରି ଭୟଙ୍କର ଭାବରେ ବଡିବାରେ ଲାଗିଛି ଯେ ଏହା କାର୍ଲିଫର୍ଣ୍ଣିଆରେ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡରେ ପରିଣତ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ଅପରପକ୍ଷରେ ଏହି ବନାଗ୍ନି ଯୋଗୁଁ କାଲିଫର୍ଣ୍ଣିଆ ସହର ଓ ଆଖାପାଖ ଅଞ୍ଚଳର ପ୍ରାୟ ୧୦ ହଜାର ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ଏକ ଲକ୍ଷ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସହସ୍ରାଧିକ ଦମକଳ ଏବଂ ହେଲିକପ୍ଟରରୁ ପାଣି ପକାଯାଇ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ସଫଳ ହୋଇପାରୁନାହିଁ। ଏହା ବ୍ୟତୀତ କାଲିଫର୍ଣ୍ଣିଆର ଦକ୍ଷିଣରେ ବାସ କରୁଥିବା ପ୍ରାୟ ୧୭ ନିୟୁତ ଲୋକ ବନାଗ୍ନି ଧୂଆଁରେ ଅତିଷ୍ଠ ହୋଇପଡିଛନ୍ତି। ଘଣ୍ଟାକୁ ୧୦୦ କିମି ବେଗରେ ପ୍ରବାହିତ ହେଉଥିବା ସାନ୍ତା ଆନା ହରିକେନ୍ ପବନ ଯୋଗୁଁ ନିଆଁ ବିଜୁଳି ବେଗରେ ଆଖପାଖ ଅଞ୍ଚଳକୁ ବ୍ୟାପୁଥିବା ଲକ୍ଷ୍ୟ କରାଯାଇଛି। ୧.୫ ନିୟୁତ ଲୋକ ବିଦ୍ୟୁତ୍ ସରବରାହରୁ ବଞ୍ଚିତ ହୋଇଛନ୍ତି। ଶତାଧିକ ଦମକଳ ଗାଡି ଓ ହେଲିକପ୍ଟରରୁ ଜଳ ସିଞ୍ଚନ କରାଯାଉଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରୁନାହିଁ। ତେବେ ଜଳ ସଙ୍କଟ ଯୋଗୁଁ ନିଆଁ ଲିଭାଇବା କାର୍ୟ୍ୟ ବାଧାପ୍ରାପ୍ତ ହେଉଛି। ବନାଗ୍ନିରେ ଷ୍ଟିଫେନ ସ୍ପିଲବର୍ଗ, ଆଦାମ ସାଣ୍ଡଲର, ବିଲି କ୍ରିଷ୍ଟାଲ, ମାଣ୍ଡି ମୁର, ଜାମି ଲି କର୍ଟିସ ଓ ପାରିସ ହିଲଟନଙ୍କ ଭଳି ହଲିଉଡ ତାରକାଙ୍କ ବାସଗୃହ ଭସ୍ମ ହୋଇଯାଇଛି। ଅପରପକ୍ଷରେ ଏହି ବନାଗ୍ନି ଘଟଣାକୁ ନେଇ ଆମେରିକାର ଭାବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବର୍ତ୍ତମାନ ବାଇଡେନ୍ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବନାଗ୍ନିରେ ପ୍ରାଣ ହରାଇଥିବା ଏବଂ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି।
Powered by Froala Editor