ଅଳ୍ପ ଖର୍ଚ୍ଚରେ ନିଆରା ବିବାହ : ୬ ଭାଇଙ୍କୁ ବାହାହେଲେ ୬ ଭଉଣୀ
ଫିଲ୍ମର ଦୃଶ୍ୟ ନୁହଁ । ପାକିସ୍ତାନରେ ଗୋଟିଏ ପରିବାରର ୬ ଭାଇ ଅନ୍ୟ ଏକ ପରିବାରର ୬ ଭଉଣୀଙ୍କୁ ବିବାହ କରିଛନ୍ତି । ହଁ ଏହା କୌଣସି ଫିଲ୍ମ କିମ୍ବ ସିରିୟଲ ଭଳି ଲାଗୁଥିଲେ ହେଁ ବାସ୍ତବରେ ଘଟିଛି । କେବଳ ପରିବାର ଓ ପରିଜନଙ୍କ ଗହଣରେ ଏହି ନିଆରା ବିବାହ ସମ୍ପନ୍ନ ହୋଇଛି ।
ସମସ୍ତ ୬ ଭାଇ ଗୋଟିଏ ଦିନ ବିବାହ କରିବେ ବୋଲି ବଡ଼ ଭାଇ ଚିନ୍ତା କରିଥିଲେ । ସେ କହିଛନ୍ତି, ଆଜିକାଲି ଲୋକେ ବିବାହ ପାଇଁ ଋଣ କରୁଛନ୍ତି କିମ୍ବା ନିଜର ଜମିବାଡ଼ି ବିକ୍ରି କରୁଛନ୍ତି । କିନ୍ତୁ ଆର୍ଥିକ ବୋଝ ନଦେଇ ମଧ୍ୟ ବିବାହକୁ ସ୍ମରଣୀୟ ଓ ସୁଖଦ କରାଯାଇ ପାରିବ ବୋଲି ୬ ଭାଇ ଦେଖାଇବାକୁ ଚାହୁଁଥିଲେ । ତେଣୁ ୬ ଭଉଣୀ ଥିବା ଏକ ପରିବାରକୁ ସେମାନେ ଚୟନ କଲେ । ଏହା ପରେ ବିବାହ ଦିନ ଧାର୍ଯ୍ୟ ହେଲା ଏବଂ ଅତ୍ୟନ୍ତ ନିରାଡ଼ମ୍ବର ଭାବେ ବିବାହ ସମ୍ପନ୍ନ ହେଲା ।
ବିବାହରେ ଯୌତୁକ ଦିଆଯାଇନାହିଁ କିମ୍ବା କୌଣସି ପ୍ରକାର ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ହୋଇନାହିଁ । ତେବେ ଏହି ନିଆରା ବିବାହର ଆୟୋଜନ ଲାଗି ସମସ୍ତ ଭାଇଙ୍କୁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିଲା । କାରଣ ସବୁଠୁ ସାନ ଭାଇ ସାବାଳକ ନହେବା ପର୍ଯ୍ୟନ୍ତ ବିବାହ କରିପାରିନଥାନ୍ତେ ।
ସୂଚନା ଅନୁଯାୟୀ, ଏହି ସାମୂହିକ ବିବାହରେ ପାକିସ୍ତାନୀ ମୁଦ୍ରାରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । ଭାରତୀୟ ମୁଦ୍ରାରେ ଏହା ମାତ୍ର ୩୦ ହଜାର ଟଙ୍କା । ପାକ୍ ସୋସିଆଲ ମିଡିଆରେ ବିବାହର ଭିଡିଓ ଖୁବ୍ ଭାଇରାଲ ହେଉଛି ।
Powered by Froala Editor