ତୀରଥଙ୍କ ଇସ୍ତଫା ପରେ ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂହ ଧାମୀ
ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପିର ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । ଦେବଭୂମିର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ପୁଷ୍କର ସିଂ ଧାମି । ବିଜେପି ବିଧାୟକ ଦଳ ବୈଠକରେ ପୁସ୍କର ସିଂ ଧାମୀଙ୍କ ନାଁ ଘୋଷଣା କରାଯାଇଛି । ପୁସ୍କରଙ୍କ ନାଁ ପ୍ରସ୍ତାବ ରଖିଥିଲେ ବିଦାୟୀ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ । ସର୍ବସମ୍ମତି କ୍ରମେ ପୁସ୍କରଙ୍କ ନାଁରେ ମୋହର ମରାଯାଇଛି । ଆଜି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାତିରେ ଶ୍ରୀ ଧାମି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥାଆନ୍ତେ। ହେଲେ ଶପଥପାଠ କାର୍ଯ୍ୟକ୍ରମକୁ ରବିବାରକୁ ଘୁଞ୍ଚାଇ ଦିଆଯାଇଛି।
୪୫ ବର୍ଷୀୟ ପୁଷ୍କର ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବାକୁ ଯାଉଛନ୍ତି। ୨ ଥର ବିଧାୟକ ହୋଇଥିଲେ ହେଁ ସେ କେବେ ହେଲେ ମନ୍ତ୍ରୀ ହୋଇ ନଥିଲେ। ଏବେ ସେ ଏକାଥରକେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
୧୯୭୫ ମସିହା ସେପ୍ଟେମ୍ବର ୧୬ରେ ଉତ୍ତରାଖଣ୍ଡର ପିଥୋରଗଡ଼ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଧାମି ଖାତିମା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାନସଭାକୁ ଯାଇଛନ୍ତି। ସେ ଆରଏସଏସ୍ର ସଦସ୍ୟ। ଏଥିସହ ବିଜେପି ଯୁଗ ମୋର୍ଚ୍ଚାର ଉତ୍ତରାଖଣ୍ଡ ମୁଖ୍ୟ ଭାବେ କାମ କରି ସାରିଛନ୍ତି। ୨୦୦୨ରେ ସେ ତତ୍କାଳୀନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭଗତ ସିଂହ କୋଶିୟାରୀଙ୍କ ଓଏସ୍ଡି ଭାବେ କାର୍ଯ୍ୟ କରିଥିଲେ।
ସୂଚନା ଥାଉ କି, ଗତକାଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଉପ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଅନିଶ୍ଚିତତା ଯୋଗୁଁ ସାମ୍ବିଧାନିକ ସଙ୍କଟ ଏଡ଼ାଇବା ନିମନ୍ତେ ରାୱତ ତାଙ୍କ ପଦରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ବିଜେପି ସଭାପତି ଜେ ପି ନଡ୍ଡାଙ୍କ ସହ ଆଲୋଚନା ପରେ ରାଜ୍ୟପାଳଙ୍କୁ ଭେଟି ଗତକାଲି ସେ ଇସ୍ତଫାପତ୍ର ପ୍ରଦାନ କରିଥିଲେ ।
Powered by Froala Editor