ପ୍ରଧାନମନ୍ତ୍ରୀଙ୍କ ଦାଢ଼ିକୁ ନେଇ ଏଭଳି କହିଲେ ଥରୁର

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶୀ ଥରୁର ପୁଣି ଟ୍ୱିଟରରେ ତାଙ୍କର ଏକ ନୂଆ ଚମକ୍ରାରୀ ଶବ୍ଦର ପ୍ରୟୋଗ କରିଛନ୍ତି ଏବଂ ଏଥର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାଢ଼ିକୁ ଲକ୍ଷ୍ୟ କରି ଏହି ଶବ୍ଦର ବ୍ୟବହାର କରିଛନ୍ତି । ସେ ପ୍ରୟୋଗ କରିଥିବା ଶବ୍ଦଟି ହେଉଛି ପୋଗୋନୋଟ୍ରଫି ଏବଂ ଜଣେ ଟୁଇଟର ବ୍ୟବହାରକାରୀ ତାଙ୍କୁ ସାଧାରଣରେ ଜଣାଶୁଣା ନଥିବା ଏକ ଶିକ୍ଷଣୀୟ ଅଭିନବ ଶବ୍ଦ ଲେଖିବାକୁ ନିବେଦନ କରିବା ପରେ ଗୁରୁବାର ରାତିରେ ସେ ଏହି ଶବ୍ଦଟି ଲେଖି ତା’ର ଅର୍ଥ ବୁଝାଇଛନ୍ତି । ଥରୁର ତାଙ୍କ ନିବେଦନର ଉତ୍ତର ଦେଇ ଲେଖିଛନ୍ତି, “ମୋର ବନ୍ଧୁ ଅର୍ଥନୀତିଜ୍ଞ ରଥୀନ ରାୟ ମୋତେ ଗୋଟିଏ ନୂଆ ଶବ୍ଦ ଶିଖାଇଛନ୍ତି । ତାହା ହେଉଛି ପୋଗୋନୋଟ୍ରଫି ଯାହାର ଅର୍ଥ ଦାଢ଼ି ଚାଷ’, ଯେପରି କି ପ୍ରଧାନମନ୍ତ୍ରୀ ମହାମାରୀ ସମୟରେ ‘ପୋଗୋନୋଟ୍ରଫି’ (ଦାଢ଼ିଚାଷ) ରେ ବ୍ୟସ୍ତ ଅଛନ୍ତି । ପୋଗୋନୋଟ୍ରଫି ମାନେ ନିଶ, ଦାଢ଼ି ଆଦି ବଢ଼ାଇବା । ଏହି ଶବ୍ଦଟି ମୂଳ ଗ୍ରୀକ ଶବ୍ଦରୁ ଆସିଛି ଏବଂ ଊନବିଂଶ ଶତାବ୍ଦୀରୁ ଏହା ପ୍ରଚଳନ ଆରମ୍ଭ ହୋଇଛି । ଇଂରାଜୀ ଭାଷାରେ ନିପୁଣ କଂଗ୍ରେସ ସାଂସଦ ଶଶୀ ଥରୁର ମଝିରେ ମଝିରେ ଏମିତି ଗୋଟିଏ ଗୋଟିଏ ନୂଆ ଶବ୍ଦ ଛାଡ଼ି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି ।
Powered by Froala Editor