କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ କଳ୍ପନାଜଳ୍ପନା

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କେବେ ହେବ ତାହାକୁ ନିର୍ଦ୍ଧିଷ୍ଟ ଭାବେ ଜଣାପଡ଼ି ନାହିଁ, ମାତ୍ର ଏହାକୁ ଅନେକ ଅପେକ୍ଷା କରି ରହିଛନ୍ତି । କେତେକ ସୂଚନା ଅନୁଯାୟୀ ଜୁଲାଇ ୭ ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ । ଆଉ କେତେକଙ୍କ କହିବା ଅନୁସାରେ ସଂସଦର ମୌସୁମୀ ଅଧିବେଶନ ପରେ କିମ୍ବା ସ୍ୱାଧୀନତା ଦିବସ ପରେ ଏହା କରାଯିବ । ପ୍ରଧାନମନ୍ତ୍ରୀ ଏବେ କରୋନା ମହାମାରୀ, ସଂସଦର ଅଧିବେଶନ ଉପରେ ଗୁରୁତ୍ୱ ଦେଉଛନ୍ତି । ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରୀମାନେ ସେମାନଙ୍କ ପଦ ସହିତ ପରିଚିତ ହେବା ଦରକାର । ତେଣୁ ମୌସୁମୀ ଅଧିବେଶନ ପୂର୍ବରୁ ଅର୍ଥାତ ଜୁଲାଇ ୭ ସୁଦ୍ଧା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇପାରେ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଦ୍ୱିତୀୟ ଅବଧି ସରକାରର କ୍ଷମତା ଆଉ ୩ ବର୍ଷ ରହିଥିବା ବେଳେ ବିଭିନ୍ନ ଦିଗକୁ ଧ୍ୟାନରେ ରଖି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ । ଏହା ମଧ୍ୟରେ ଆଞ୍ଚଳିକ ପ୍ରତିନିଧିତ୍ୱରେ ସମନ୍ୱୟ ଓ ରାଜ୍ୟ ବିଧାନସଭା ନିର୍ବାଚନ ମୁଖ୍ୟ ପ୍ରସଙ୍ଗ ରହିବ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୮୧ ଜଣ ସଦସ୍ୟ ରହିପାରିବେ । ଏବେ ୫୩ ଜଣ ସଦସ୍ୟ ଥିବା ବେଳେ ୨୮ଟି ପଦ ଖାଲି ପଡ଼ିଛି । ମନ୍ତ୍ରିମଣ୍ଡଳ ସ୍ଥାନ ପାଇବାକୁ ସମ୍ଭାବ୍ୟ ନେତାଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ମହାରାଷ୍ଟ୍ରରୁ ପ୍ରୀତମ ଗୋପୀନାଥ ମୁଣ୍ଡେ, ନାରାୟଣ ରାଣେ, ବିଜେପିର ବିହାର ଓ ଗୁଜରାଟ ପ୍ରଭାରୀ ଭୁପେନ୍ଦ୍ର ଯାଦବ, ଫିଲି ଭିତର ସାଂସଦ ବରୁଣ ଗାନ୍ଧି, ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ, ଜେଡିୟୁ ନେତା ରାଜୀବ ରଞ୍ଜନ, ଆରସିପି ସିଂହ ପ୍ରମୁଖ ରହିଛିନ୍ତି ।
Powered by Froala Editor