ଆଜି ଇସ୍ରୋ ଲଞ୍ଚ କରିବ ସ୍ପେଡେକ୍ସ ମିଶନ୍
ନୂଆଦିଲ୍ଲୀ: ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ। ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ। ଆଜି ରାତି ୯ଟା ୫୮ରେ PSLV-C60 ରକେଟ୍ ସାହାଯ୍ୟରେ ଏହାକୁ ଉତକ୍ଷେପଣ କରାଯିବ ।
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ମହାକାଶକୁ ଯିବ ୨ଟି ସ୍ପେଶକ୍ରାଫ୍ଟ। ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ ଇସ୍ରୋ । ଏହାକୁ କୁହାଯାଉଛି ଇନସ୍ପେଶ୍ ଡକିଂ।
ଭୂପୃଷ୍ଠରୁ ୪୭୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର କକ୍ଷପଥରେ ଦୁଇଟି ଯାକ ସ୍ପେଶକ୍ରାଫ୍ଟ ବୁଲୁଥିବା ବେଳେ, ଏହାକୁ ଡକିଂ ଓ ଅନଡକିଂ କରାଯିବ । ଏଥିସହ ଅନଡକିଂ ପୂର୍ବରୁ ଦୁଇଟି ସ୍ପେଶକ୍ରାଫ୍ଟ ମଧ୍ୟରେ ବିଦ୍ୟୁତ ଶକ୍ତି ଆଦାନପ୍ରଦାନ ହେବ।ଏହା ଖୁବ୍ ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ, ଏଥିପାଇଁ ସ୍ୱଦେଶୀ ଜ୍ଞାନକୌଶଳ ଉପଯୋଗ କରିବ ଇସ୍ରୋ । ମିଶନ ସଫଳ ହେଲେ ଆମେରିକା, ରୁଷ ଓ ଚୀନ୍ ପରେ ଅନ୍ତରୀକ୍ଷ ଡକିଂ କରିବାରେ ଭାରତ ଚତୁର୍ଥ ଦେଶ ପାଲଟିବ। ଚନ୍ଦ୍ରଯାନ-୪ ଏବଂ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନରେ ଏହି ଟେକନୋଲୋଜି ଖୁବ୍ ସହାୟକ ହେବ।
Powered by Froala Editor