ବ୍ୟକ୍ତିଙ୍କୁ ଧକ୍କା ଦେଇ ୩୦ କି.ମି ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି

ତହସିଲଦାରଙ୍କ ଗାଡ଼ି ଚକା ତଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ହେଲା ୩୫ ବର୍ଷୀୟ ନରେନ୍ଦ୍ର କୁମାର ହଲଦର । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ପୟାଗପୁରରେ। ପୟାଗପୁରର ମୃତକ ନରେନ୍ଦ୍ର କୁମାର ହାଲଦାର ନିଜ ଘରକୁ ଫେରୁଥିବାବେଳେ ନାନପରା-ବହରାଇଚ ରାସ୍ତାରେ ନାଏବ ତହସିଲଦାରଙ୍କ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଏହାପରେ ତାଙ୍କୁ ୩୦ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନାନପରା ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନେଇଯାଇଥିଲା।
ମିଳିଥିବା ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ନାନପରାର ନାଏବ ତହସିଲଦାର କିଛି କାମ ପାଇଁ ତହସିଲଦାରଙ୍କ କାରରେ ବହରାଇଚକୁ ଆସି ନାନପରା ଫେରୁଥିଲେ। କାମ ସାରି ନରେନ୍ଦ୍ର ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ନାଏବ ତହସିଲଦାର ଶୈଳେଶ କୁମାର ଅୱସ୍ତିଙ୍କ କାର ପ୍ରଥମେ ନରେନ୍ଦ୍ରଙ୍କୁ ଧକ୍କା ଦେବା ପରେ ନରେନ୍ଦ୍ର କାର ଆଗରେ ଗୁଡ଼ାଇ ହୋଇ ଲାଖି ଯାଇଥିଲେ । ଏହା ପରେ କାର ତାଙ୍କୁ ୩୦କିଲୋମିଟର ଯାଏ ଟାଣି ନେଇଥିଲା, ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ଘଟିବା ସମୟରେ ଶୈଳେଶ କୁମାର ଅୱସ୍ତି କାରରେ ଥିବାରୁ ଜିଲ୍ଲା ମାଜିଷ୍ଟ୍ରେଟ୍ ମୋନିକା ରାନୀ ତାଙ୍କୁ ନିଲମ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି । ଏହା ସହ ଗାଡି ଚଳାଉଥିବା ଚାଳକ ମେରାଜ ଅହମ୍ମଦକୁ ଗିରଫ କରାଯାଇଛି।
ଜିଲ୍ଲାପାଳ କହିଛନ୍ତି ଯେ ଏହି ଦୁର୍ଘଟଣା ମୋ ଦୃଷ୍ଟିକୁ ଆସିଛି। ନାନପରାର ନାଏବ ତହସିଲଦାର ନିଜ ସରକାରୀ ଗାଡ଼ିରେ ବହରାଇଚ ଆସିଥିଲେ। ସେ ନାନପରା ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ତହସିଲଦାରଙ୍କ କହିବା ମୁତାବକ ସେ ଏହି ବିଷୟରେ ଜାଣିନଥିଲେ। ହେଲେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।
Powered by Froala Editor