ବିନା ବନ୍ଧକରେ ଚାଷୀ ପାଇବେ ୨ ଲକ୍ଷ ଯାଏଁ ଋଣ

କୃଷି କ୍ଷେତ୍ରକୁ ସହାୟତା ଓ ବଢିଚାଲିଥିବା ଖର୍ଚ୍ଚର ଭରଣା ପାଇଁ ଜାନୁଆରୀ ପହିଲାରୁ ସବୁ ବ୍ୟାଙ୍କ ଚାଷୀଙ୍କୁ ବିନା ବନ୍ଧକରେ ଅଳ୍ପ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବେ । ଏନେଇ ଆରବିଆଇ ଦେଶର ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶନାମା ଜାରି କରିଛି । ଆରବିଆଇର ଏହି ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରାଯାଇଛି । ଏହାଛଡ଼ା ଏ ନେଇ କୃଷକମାନଙ୍କ ମଧ୍ୟରେ ସଚେତନା ବୃଦ୍ଧି ପାଇଁ ମଧ୍ୟ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
କୃଷକମାନଙ୍କ ଉପରେ ମୁଦ୍ରାସ୍ଫୀତିର ବଢିଚାଲିଥିବା ପ୍ରଭାବ ଏବଂ କୃଷି ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ବର୍ଦ୍ଧିତ ଆର୍ଥିକ ସୁବିଧା ପ୍ରଦାନ କରିବା ଏବଂ ବନ୍ଧକ ସମସ୍ୟା ବିନା ସେମାନଙ୍କର ପରିଚାଳନାଗତ ଏବଂ ଉନ୍ନୟନମୂଳକ ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ସୁନିଶ୍ଚିତ କରିବା ।
୨୦୨୫ ଜାନୁଆରୀ ପହିଲାରୁ ଦେଶର ୮୬ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବିନା ବନ୍ଧକରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କରୁ ଋଣ କରିପାରିବେ । ଏଥିପାଇଁ ସବୁ ବ୍ୟାଙ୍କ ଯେପରି ବ୍ୟାପକ ପ୍ରଚାର ପ୍ରସାର କରିବେ ସେ ନେଇ ବି ନିର୍ଦ୍ଦେଶ ଦିଆଯାଇଛି । ରବି ଫସଲ ହେଉ କି ଖରିଫ ଫସଲ ଉତ୍ପାଦନ ପାଇଁ ଯେପରି ଇନ୍ପୁଟ ଖର୍ଚ୍ଚ ତୁଲାଇବାରେ ଚାଷୀ ଅସୁବିଧା ନ ଭୋଗିବେ ସେ ନେଇ ଏପରି ଋଣ ଯୋଗାଇବାକୁ ଦେଶର ସର୍ବୋଚ୍ଚ ବ୍ୟାଙ୍କ ନିଷ୍ପତ୍ତି ନେଇଛି, ତା’ ପୁଣି କମ୍ ସୁଧରେ ।
ପୂର୍ବରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନରେ ହଇରାଣ କରୁଥିଲେ । ଆରବିଆଇର ହସ୍ତକ୍ଷେପ ଫଳରେ ବିନା ବନ୍ଧକରେ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କୁ ଋଣ ମିଳୁଥିଲା । ଏବେ ବିନା ବନ୍ଧକ ଋଣ ପରିମାଣରେ ଆଉ ୪୦ ହଜାର ଟଙ୍କା ବୃଦ୍ଧି କରାଯାଇଛି । ଯାହାକି ଅତ୍ୟନ୍ତ ସ୍ବାଗତ ଯୋଗ୍ୟ ।
Powered by Froala Editor