ସରକାରଙ୍କ ବଡ ନିଷ୍ପତି : କୋଭିଡ ନେଗେଟିଭ ମୃତଦେହକୁ ନେଇପାରିବେ ପରିବାରବର୍ଗ
ଭୁବନେଶ୍ୱର: କୋଭିଡ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଥିବା ରୋଗୀ ଯଦି କୋଭିଡ ନେଗେଟିଭ ଥାଆନ୍ତି, ତାହାଲେ ତାଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ । ଫଳରେ ବିଧି ମୁତାବକ ମୃତକଙ୍କ ଶେଷକୃତ୍ୟ କରିବାକୁ ପରିବାରଲୋକ ସୁଯୋଗ ପାଇପାରିବେ । ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଜାରି ହୋଇଛି । କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଥିବା ମୃତକଙ୍କ ଶେଷକୃତ୍ୟ ସ୍ଥାନୀୟ ପ୍ରଶାସନ ହାତରେ ରହିଛି । ହେଲେ ଅନେକ ସମୟରେ ମୃତକଙ୍କୁ ନେଇ ପରିବାର ଓ ହସ୍ପିଟାଲ ମଧ୍ୟରେ ବାଦବିବାଦ ଦେଖିବାକୁ ମିଳିଛି । ଅନେକ କ୍ଷେତ୍ରରେ ପରିବାରଲୋକ ମୃତଦେହ ଦାବି କରୁଥିଲେ ହେଁ ପୂର୍ବ ନିୟମ ଅନୁସାରେ ପ୍ରଶାସନ ହିଁ ଶେଷକୃତ୍ୟ କରିଆସୁଛି । ମାତ୍ର ଏବେ ଏହି ନିୟମରେ ସରକାର ପରିବର୍ତ୍ତନ କରିଛନ୍ତି । କୋଭିଡ ନେଗେଟିଭ ଥିବା ମୃତକଙ୍କୁ ସିଲ୍ଡ ବ୍ୟାଗରେ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ । ମୃତଦେହ ହସ୍ତାନ୍ତର ସମୟରେ ପରିବାରଲୋକଙ୍କୁ କୋଭିଡ ନିୟମ ପାଳନ ନେଇ ଅଣ୍ଡରଟେକିଂ ଦେବାକୁ ହେବ । ପରିବାରଲୋକ ବ୍ୟାଗ ଖୋଲି ମୃତକଙ୍କୁ ଛୁଇଁ ପାରିବେ ନାହିଁ କିମ୍ବା ଆଲିଙ୍ଗନ କରିପାରିବେ ନାହିଁ । ମୃତଦେହ ହସ୍ତାନ୍ତର ସମୟରେ ହସ୍ପିଟାଲ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଶରୀରକୁ ସାନିଟାଇଜ କରିବା ଲାଗି କୁହାଯାଇଛି ।
Powered by Froala Editor