ମୌସୁମୀ ଦୁର୍ବଳ
ଭୁବନେଶ୍ୱର: ରାଜ୍ୟରେ ଅଭାବୀ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ଜୁନ ୧ ରୁ ୨୯ ତାରିଖ ମଧ୍ୟରେ ରାଜ୍ୟରେ ୧୮୫ ମିମି ବର୍ଷା ହୋଇଛି । ସ୍ୱାଭାବିକ ଭାବେ ଏହି ସମୟ ମଧ୍ୟରେ ୨୦୮.୩ ମିମି ବର୍ଷା ହୋଇଥାଏ । ତେଣୁ ଏହାକୁ ହିସାବକୁ ନେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ ପ୍ରତିଶତ କମ ବର୍ଷା ହୋଇଛି । ପୁରୀ, ସୁନ୍ଦରଗଡ଼, କୋରାପୁଟ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଆଦି ୬ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୪ ଜିଲ୍ଲାରେ ଅଭାବୀ ବର୍ଷା ପରିଲକ୍ଷିତ ହୋଇଛି । ତେବେ ଭଦ୍ରକ, ଗଜପତି ଓ ଗଞ୍ଜାମ, ଏହି ୩ ଜିଲ୍ଲାରେ ୬୦ ପ୍ରତିଶତରୁ କମ ଅର୍ଥାତ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର କହିଛି, ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ଏଣୁ ଗତ ୨୪ ଘଣ୍ଟାରେ ବିଶେଷ ବର୍ଷା ହୋଇନାହିଁ । ଏବେ କିଛି ଦିନ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ମୌସୁମୀର ଦୁର୍ବଳ ଅବସ୍ଥା ଲାଗି ରହିବ । ଆଜି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ହେବ । ସେହିଭଳି ୧ ତାରିଖ ଦିନ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେ଼ଙ୍କାନାଳ, କଟକ, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨ ତାରିଖରୁ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ । ଆଜି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବ ।
Powered by Froala Editor