ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜଙ୍କୁ ହତ୍ୟା
ଝାରସୁଗୁଡା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ଅଭିଯୁକ୍ତ ପ୍ରବୀଣ ଧରୁଆଙ୍କୁ ପୋଲିସ ଗିରଫ କରିଛି । ଗତକାଲି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା କୁଅଁରମାଲ ସରଗିଗୁଡ଼ା ଘରେ ପ୍ରଫେସର ଧ୍ରୁବରାଜ ନାୟକ ଘରେ ଟାଙ୍ଗିଆରେ ନୃଶଂସ ଭାବେ ହତ୍ୟା କରିଥିଲା ପ୍ରବୀଣ । ସେହି ସମୟରେ ସେ ଘରେ ଥିବା ପ୍ରଫେସର ନାୟକଙ୍କ ବୋହୂ ଓ ଝିଅଙ୍କୁ ସେ ୧୦୦ ଟଙ୍କା ମାଗିଥିଲା। ତେବେ ଟଙ୍କା ନାହିଁ ପରେ ଆସିବୁ ବୋଲି ସେମାନେ ତାକୁ କହିଥିଲେ। ଏହା ଭିତରେ ପ୍ରଫେସର ନାୟକ ସେଠାରେ ପହଞ୍ଚି ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ଅଭିଯୁକ୍ତକୁ ପଚାରି ଥିଲେ। ଏହା ସହିତ ତାକୁ ପ୍ରଥମେ ଘରୁ ବାହାରିବାକୁ କହିଥିଲେ। ଏହା ପରେ ଉତ୍ତ୍ୟକ୍ତ ପ୍ରବୀଣ ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଫେସର ନାୟକଙ୍କୁ ଝାରସୁଗୁଡ଼ାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଦେଇଥିବା ତଥ୍ୟାନୁସାରେ, ପ୍ରବୀଣର ଘର ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲରେ। ଗତକାଲି ଧ୍ରୁବରାଜ ନାୟକଙ୍କୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପ୍ରବୀଣ। ଘଟଣା ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ପ୍ରବୀଣକୁ ଲଇକେରା ଥାନା ପୁଲିସ୍ ଗତକାଲି ହିଁ ଧରିଛି । ତେବେ ତାକୁ ଥାନାରେ ଅଟକ ରଖି ପୋଲିସ୍ ପଚରାଉଚରା କରୁଥିବା ବେଳେ ଶେଷରେ ଗିରଫ କରିଛି।
Powered by Froala Editor