କେଜ୍ରିୱାଲଙ୍କ ବଡ଼ ଘୋଷଣା, ୨ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ଆସନ୍ତା ୨ ଦିନ ମଧ୍ୟରେ ସେ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ୬ ମାସ ହେବ ଜେଲରେ ଥିଲେ ଅରବିନ୍ଦ କେଜ୍ରିୱାଲ। ବେଲରେ ଆସିବା ପରେ କେଜ୍ରିୱାଲ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି।
ଇସ୍ତଫା ଘୋଷଣା କରି କେଜ୍ରିୱାଲ କହିଛନ୍ତି, "ଆସନ୍ତା ଦୁଇ ଦିନ ମଧ୍ୟରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି। ଜନତା ସେମାନଙ୍କର ନିଷ୍ପତ୍ତି ଘୋଷଣା ନକରିବା ପର୍ଯ୍ୟନ୍ତ ମୁଁ ସେହି ଆସନରେ ବସିବି ନାହିଁ। ଦିଲ୍ଲୀ ନିର୍ବାଚନକୁ ଆଉ କିଛି ମାସ ବାକି ଅଛି। ମୁଁ ଆଇନ ଅଦାଲତରୁ ନ୍ୟାୟ ପାଇଛି, ବର୍ତ୍ତମାନ ମୁଁ ଜନତାଙ୍କ ଅଦାଲତରୁ ନ୍ୟାୟ ପାଇବି।" AAP କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହି ଘୋଷଣା କରିଛନ୍ତି। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ, ଜନସାଧାରଣଙ୍କ ଆଶୀର୍ବାଦରେ ଭାଜପାର ସମସ୍ତ ଷଡଯନ୍ତ୍ରକୁ ପ୍ରତିହତ କରିବାର ଶକ୍ତି ଆମର ଅଛି। ସେ ଆହୁରି କହିଛନ୍ତି ଯେ, ଆମେ ଭାଜପା ଆଗରେ ନଇଁବୁ ନାହିଁ।
ଗିରଫଦାରୀର ୬ ମାସ ମଧ୍ୟରେ ଇସ୍ତଫା ନେଇ ସେ କୌଣସି ପ୍ରକାର ପ୍ରତିକ୍ରିୟା ରଖିନଥିଲେ। ଏପରିକି ସେ ଜେଲରେ ଥିବା ସମୟରେ ମଧ୍ୟ ବିରୋଧୀଙ୍କ ପକ୍ଷରୁ ଏକାଧିକ ବାର ଇସ୍ତଫା ନେଇ ଦାବି ଉଠିଥିଲା। କିନ୍ତୁ ସେ ଇସ୍ତଫା ଦେଇନଥିଲେ, ଜେଲରୁ ଥାଇ ମୁଖ୍ୟମନ୍ତ୍ରୀ ପଦର ପରିଚାଳନା କରିଥିଲେ। ହେଲେ ବେଲରେ ଆସିବା ପରେ ହଠାତ୍ ଇସ୍ତଫା ଘୋଷଣା କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଛି।
Powered by Froala Editor