ମାଟି ତଳୁ ମିଳିଲା ମାଓବାଦୀଙ୍କ ପୋତା ଟଙ୍କା, ଅଛି ୬ ବଣ୍ଡଲ ୨ ହଜାର ଟଙ୍କିଆ ନୋଟ୍
ସୀମାନ୍ତ ଛତିଶଗଡର ଧମତରୀ ଓ ଗରିଆବନ୍ଧ ପୁଲିସକୁ ମାଓବାଦୀମାନେ ଲୁଚାଇ ରଖିଥିବା ୩୮ ଲକ୍ଷ ଟଙ୍କା ଏକ ଡମ୍ପରୁ ମିଳିଛି। ଏହି ୩୮ ଲକ୍ଷ ଟଙ୍କାରେ ୨ ହଜାର ଟଙ୍କିଆ ୬ ବଣ୍ଡଲ, ୫ ଶହ ଟଙ୍କିଆ ନୋଟ ୫୨ ବଣ୍ଡଲ ରହିଛି। ବିମୁଦ୍ରୀକରଣ ବେଳେ ନକ୍ସଲ ଲୁଚାଇ ରଖିଥିବା ଏହି ଟଙ୍କାକୁ ବଦଳାଇ ପାରିନଥିବା ଜଣାପଡିଛି। ଏଥିସହ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରାଯାଇଛି। ନକ୍ସଲମାନେ ସେହି ଟଙ୍କା ଓ ମାରଣାସ୍ତ୍ର ପୋତି ରଖିଥିବା ଜଣାପଡ଼ିଛି। ଗାତ ଖୋଳି ସେହି ଟଙ୍କାକୁ ଜବତ କରିଛି ସିଆର୍ପିଏଫ୍ ଯବାନ ଓ ଛତିଶଗଡ଼ ପୁଲିସ୍।
ଛତିଶଗଡର ଗୋବରା ଓ ପେଣ୍ଡ୍ରା ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିଲା। ସିଆର୍ପିଏଫ୍ ଯବାନ ଓ ଛତିଶଗଡ଼ ପୁଲିସ୍ ମିଳିତ ଭାବେ ସର୍ଚ୍ଚ ଅପରେସନ୍ କରିଥିଲେ। ସେହି ସମୟରେ ମେଟାଲ୍ ଡିଟେକ୍ଟରରେ ସିଗ୍ନାଲ୍ ଦେଖାଇଥିଲା। ତା’ପରେ ପ୍ରାୟ ୧୦ ଫୁଟ୍ ଗାତ ଖୋଳିବା ପରେ ମିଳିଥିଲା ପ୍ରାୟ ୩୮ ଲକ୍ଷ ଟଙ୍କା ଓ ମାରଣାସ୍ତ୍ର। ଟଙ୍କା ଓ ମାରଣାସ୍ତ୍ର ଗୁଡ଼ିକୁ ଜରିରେ ପୋତା ଯାଇଥିଲା।
କେବଳ ଟଙ୍କା ନୁହେଁ ସେହି ଡମ୍ପରୁ ୨୩ଟି ବିଜିଏଲ, ୨ଟି ଟିଫିନ ବୋମା, ୧୩ଟି ଡିଟୋନେଟର, ଗୋଟିଏ ବଣ୍ଡଲ ଫ୍ୟୁଜ ତାର, ଦୁଇ କିଲୋ ଖୋଲା ବାରୁଦ, ସେନ୍ସର ରିମୋଟ, ବିଦ୍ୟୁତ ତାର, ମାଓ ପୋଷାକ, କଳା ପୋଷାକ ସହ ବୋମା ତିଆରି ଜିନିଷ ମହଜୁଦ ରହିଥିଲା। ପୁଲିସ ଓ ସିଆରପିଏଫର ମିଳିତ ଚଢ଼ାଉରେ ଏହି ସଫଳତା ମିଳିଥିବା ପୁଲିସ କହିଛି।
Powered by Froala Editor