ଅଭିଯୁକ୍ତର ଅନୁତାପ ନାହିଁ, କହିଲା ‘ମୋତେ ଫାଶୀରେ ଝୁଲାଇ ଦିଅ’
କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଗିରଫ ସଞ୍ଜୟ ରୟକୁ ନେଇ ବଡ଼ ଖବର ଆସିଛି। ସେ ହସ୍ପିଟାଲର କର୍ମଚାରୀ ନୁହେଁ, କିନ୍ତୁ ତାଙ୍କୁ ପ୍ରାୟତଃ କ୍ୟାମ୍ପସ୍ ଭିତରେ ଦେଖିବାକୁ ମିଳୁଥିଲା। ଶନିବାର (ଅଗଷ୍ଟ ୧୦) ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ଅଛନ୍ତି।
ପୁଲିସ ପଚରାଉଚରା ଆରମ୍ଭ କରିବା ମାତ୍ରେ ଅଭିଯୁକ୍ତ ସଞ୍ଜୟ ତାଙ୍କ ଅପରାଧ ସ୍ବୀକାର କରିଛନ୍ତି। ଏହି ଜଘନ୍ୟ ଅପରାଧ ପାଇଁ ତାଙ୍କର କୌଣସି ଡର ଭୟ କିମ୍ବା ଲାଜ ମଧ୍ୟ ନ ଥିଲା କି ଅନୁତାପ ମଧ୍ୟ ନ ଥିଲା। ସେ ପୁଲିସକୁ କହିଥିଲେ, ଯଦି ତୁମେ ଚାହଁ ମୋତେ ଫାଶୀରେ ଝୁଲାଇ ଦିଅ। ସଞ୍ଜୟ ତାଙ୍କ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ। ସିସିଟିଭି କ୍ୟାମେରା ଫୁଟେଜ୍ ଜରିଆରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା।
ସଞ୍ଜୟ ରୟ କୋଲକାତା ପୁଲିସ୍ର ବିପର୍ଯ୍ୟୟ ପରିଚାଳନା ଗ୍ରୁପରେ ଜଣେ ସ୍ୱେଚ୍ଛାସେବୀ ଭାବେ ୨୦୧୯ରେ ଯୋଗ ଦେଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ପୁଲିସ୍ କଲ୍ୟାଣକାରୀ ସେଲକୁ ବଦଳି ହୋଇଥିଲା। ଏହାପରେ ସେ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଥିବା ପୁଲିସ୍ ଆଉଟ ପୋଷ୍ଟରେ ମୁତୟନ ହୋଇଥିଲା। ଆଉଟ ପୋଷ୍ଟରେ ଥିବାରୁ ସେ ହସ୍ପିଟାଲର ସବୁ ବିଭାଗକୁ ବେଶ ଅନାୟଶରେ ଯାତାୟାତ କରୁଥିଲା।
ରିପୋର୍ଟ ଅନୁସାରେ, ପୁଲିସକୁ ସହାୟତା କରିବା ପାଇଁ ସେମାନଙ୍କୁ ମୁତୟନ କରାଯାଏ। ଟ୍ରାଫିକ ମ୍ୟାନେଜମେଣ୍ଟ ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ସାଧାରଣତଃ ସେମାନେ ସାମିଲ ହୁଅନ୍ତି। ସେମାନଙ୍କୁ ମାସିକ ୧୨ ହଜାର ଟଙ୍କା ମିଳେ। ନିୟମିତ ପୁଲିସ୍ କର୍ମଚାରୀଙ୍କ ଭଳି ସେମାନଙ୍କୁ କୌଣସି ସୁବିଧାସୁଯୋଗ ମିଳେ ନାହିଁ।
ହସ୍ପିଟାଲରେ ଆଡମିସନକୁ ନିଶ୍ଚିତ କରିବା ପାଇଁ ରୋଗୀଙ୍କ ଠାରୁ ଟଙ୍କା ନେଉଥିବା ରାକେଟରେ ସଞ୍ଜୟ ରହିଥିଲା। ସରକାରୀ ହସ୍ପିଟାଲରେ ବେଡ ନ ମିଳିଲେ ସେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସ୍ଥାନୀୟ ନର୍ସିଂ ହୋମକୁ ମଧ୍ୟ ପଠାଉଥିଲା। ସେ ପୁଲିସ୍ ହୋଇ ନଥିଲେ ମଧ୍ୟ ନିଜକୁ ସବୁବେଳେ କୋଲକାତାର ନିୟମିତ ପୁଲିସ୍ ଭାବେ ଚିତ୍ରଣ କରୁଥିଲା।
Powered by Froala Editor