ଆଇଆଇଟି ମାଡ୍ରାସ୍ ପୁଣି ନଂ୧, ୨୪ନଂରେ ଓଡ଼ିଶାର ସୋଆ

ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ରାଙ୍କିଙ୍ଗ ଫ୍ରେମୱାର୍କ(ଏନଆଇଆରଏଫ) ୨୦୨୪ ପକ୍ଷରୁ ଜାରି ତାଲିକାରେ ଆଇଆଇଟି ମାଡ୍ରାସ ନମ୍ବର ୧ ସ୍ଥାନରେ ରହିଛି। କ୍ରମାଗତ ୮ମ ଥର ପାଇଁ ଆଇଆଇଟି ମାଡ୍ରାସ ଇଞ୍ଜିନିୟରିଂ କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛି। ରାଙ୍କିଙ୍ଗର ଟପ୍ ୧୦ରେ ଦେଶର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଜେଏନୟୁ ମଧ୍ୟ ରହିଛି। ଏହି ଶିକ୍ଷାନୁଷ୍ଠାନ ୧୦ ନମ୍ବର ସ୍ଥାନରେ ରହିଛି। ଇଣ୍ଡିଆ ମଣ୍ଡପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତି। ଏହି ରାଙ୍କିଙ୍ଗକୁ ଅଫିସିଆଲ୍ ୱେବସାଇଟ୍ nirfindia.org ରେ ଦେଖିହେବ।
ଆଇଆଇଟି ମାଡ୍ରାସ ସାମଗ୍ରିକ ଏନଆଇଆରଏଫ ମାନ୍ୟତାରେ ଶୀର୍ଷରେ ରହିଛି। ୨ୟ ସ୍ଥାନରେ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ୩ୟ ସ୍ଥାନରେ ଆଇଆଇଟି ବମ୍ବେ, ୪ର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ ରହିଛି । ଆଇଆଇଟି କାନପୁର ୫ମ ସ୍ଥାନରେ, ୬ଷ୍ଠ ସ୍ଥାନରେ ଆଇଆଇଟି ଖଡ଼ଗପୁର, ୭ମ ସ୍ଥାନରେ ଦିଲ୍ଲୀ ଏମ୍ସ, ଆଇଆଇଟି ଋକୀ ୮ମ ସ୍ଥାନରେ ଓ ଆଇଆଇଟି ଗୁହାଟୀ ୯ମ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ୧୦ମ ସ୍ଥାନରେ ରହିଛି। ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ୨୪ତମ ସ୍ଥାନରେ ଥିବାବେଳେ କିଟ୍ ବିଶ୍ବବିଦ୍ୟାଳୟ ୨୮ତମ ଓ ଏନଆଇଟି ରାଉରକେଲା ୩୪ତମ ସ୍ଥାନରେ ରହିଛି ।
ଏନଆଇଆରଏଫ ଜାରି କରିଥିବା ରାଙ୍କିଙ୍ଗର ୯ମ ସଂସ୍କରଣରେ ୩ଟି ନୂଆ ବର୍ଗ – ମୁକ୍ତ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିଶ୍ୱବିଦ୍ୟାଳୟ ଓ ସରକାରୀ ଅନୁଦାନ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଛି। AICTE ଅଧ୍ୟକ୍ଷ ଅନୀଲ ସହସ୍ରବୁଦ୍ଧେ ଘୋଷଣା କରିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ ଆସନ୍ତାବର୍ଷ ଠାରୁ ପରିପୋଷଣିୟତା ରାଙ୍କିଙ୍ଗ ମଧ୍ୟ ଜାରି କରିବ।
Powered by Froala Editor