ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲରେ ଲାଇଫ୍ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବାରେ ପ୍ରଥମ ଭାରତୀୟ ଶାହରୁଖ
ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ ଙ୍କୁ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ ତାପାର୍ଡୋ ଅଲା କାରିଏରା (ଲାଇଫ୍ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ)ରେ ସମ୍ମାନିତ କରାଯାଇଛି। ଶାହରୁଖ୍ ଏହି ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ।
ଏହି ଅବସରରେ ସେ ନିଜ ଚଳଚ୍ଚିତ୍ର ଯାତ୍ରାକୁ ମନେ ପକାଇବା ସହ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ଦିଗରେ କାର୍ଯ୍ୟ କରିବେ ବୋଲି ଦର୍ଶକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଲୋକାର୍ନୋ ଚଳଚ୍ଚିତ୍ର ମହୋତ୍ସବରେ ଶାହରୁଖ୍ଙ୍କୁ ସମ୍ମାନିତ କରାଯିବାବେଳେ ୨୦୦୨ରେ ରିଲିଜ୍ ହୋଇଥିବା ସଞ୍ଜୟ ଲୀଲା ଭନ୍ସାଲୀଙ୍କ ସୁପରହିଟ୍ 'ଦେବ୍ଦାସ' ଫିଲ୍ମକୁ ପ୍ରଦର୍ଶନ କରାଯାଇଥିଲା।
ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲର ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶାହରୁଖ୍ଙ୍କ ଅନେକ ଫଟୋ ଓ ଭିଡିଓକୁ ପୋଷ୍ଟ କରାଯାଇଛି। ଏଥିରେ ବଲିଉଡ୍ର କିଙ୍ଗ୍ ଖାନ୍ଙ୍କ କ୍ରେଜ୍ରେ ଉପସ୍ଥିତ ଦର୍ଶକ ମତୁଆଲା ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ଚଳଚ୍ଚିତ୍ର ମହୋତ୍ସବରେ ତାଙ୍କ ଭାଷଣ ମୁଖ୍ୟ ଆକର୍ଷଣ ରହିଥିଲା। ଭାଷଣର ପ୍ରାରମ୍ଭରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବାରୁ ଉପସ୍ଥିତ ଦର୍ଶକଙ୍କୁ ଶାହରୁଖ୍ ଧନ୍ୟବାଦ ଦେଇଥିଲେ। ଲୋକାର୍ନୋ ସହର ଓ ଏହି ଫିଲ୍ମ ଫେଷ୍ଟିଭାଲରେ ଯୋଗଦେଇ ତାଙ୍କୁ ନିଜ ଘର ଓ ଭାରତ ପରି ଅନୁଭବ ହେଉଛି ବୋଲି କିଙ୍ଗ୍ ଖାନ୍ କହିଛନ୍ତି।
ସୂଚନାଯୋଗ୍ୟ, ବୈଶ୍ୱିକ ସିନେମା କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ପାଇଁ ପ୍ରସିଦ୍ଧ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ ୧୯୪୬ରୁ ଆରମ୍ଭ ହୋଇଥିଲା।
Powered by Froala Editor