ଚାକିରି ଲୋଭ ଦେଖାଇ ଟଙ୍କା ନେଇଥିଲେ, ଜେଲ୍ ଗଲେ ସେବାଶ୍ରମ ଶିକ୍ଷୟିତ୍ରୀ

ଚାକିରି କରାଇ ଦେବା ନାଁରେ ଅର୍ଥ ତୋଷରପାତ କରି ଜଣେ ଶିକ୍ଷୟିତ୍ରୀଙ୍କୁ ଶେଷରେ ଜେଲ୍ ଯିବାକୁ ପଡ଼ିଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଠକାମୀରେ ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ୍ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ତାଙ୍କ ସ୍ୱାମୀ ଫେରାର ଅଛନ୍ତି।
ଶିକ୍ଷୟିତ୍ରୀ ଜଣଙ୍କ ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ବେଳେ ଠକାମିର ଶିକାର ଜଣେ ଯୁବତୀ ଶେଷରେ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଆଧାରରେ ପୁଲିସ୍ ଶିକ୍ଷୟିତ୍ରୀଙ୍କୁ ଗିରଫ କରି ଗ୍ରାମ୍ୟ ଅଦାଲତରେ ହାଜର କରିଛି। ତେବେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଶେଷରେ ଶିକ୍ଷୟିତ୍ରୀଙ୍କୁ ଜେଲ୍ ଯିବାକୁ ପଡ଼ିଛି।
ଘସିପୁରା ଥାନା ଜଅଁରା ଗାଁର ରବୀନ୍ଦ୍ର କୁମାର ବେହେରା ହେଉଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ତାଙ୍କ ପତ୍ନୀ ଅନୁସୟା ବାରିକ ଏବେ ପଡ଼ୋଶୀ ଯାଜପୁର ଜିଲ୍ଲା ରଗଡି ତାଳପଦା ସେବାଶ୍ରମରେ ଶିକ୍ଷକତା କରୁଛନ୍ତି। ଚାକିରି ଦେବାକୁ କହି ଏହି ଦମ୍ପତି ବହୁ ଶିକ୍ଷିତ ଯୁବକ ଓ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଛନ୍ତି। ହେଲେ ପରବର୍ତ୍ତୀ ସମୟରେ ଚାକିରି ଦେଇନଥିଲେ। ଏପରିକି ନେଇଥିବା ଟଙ୍କା ଫେରାଉନଥିଲେ। ଯେଉଁଥିପାଇଁ ପ୍ରତିଦିନ ଠକାମୀରେ ଶିକାର ହୋଇଥିବା ଯୁବକ, ଯୁବତୀ ଓ ତାଙ୍କ ପରିବାର ଲୋକେ ରବୀନ୍ଦ୍ରଙ୍କ ଗାଁ ଜଅଁରାକୁ ଆସି ଖାଲି ହାତରେ ଫେରୁଥିଲେ।
ଆନନ୍ଦପୁର ଥାନା ଅଧୀନ ଚୋରଗଡ଼ିଆ ଗୋପାଳପୁରର ଯୁବତୀ ମଧୁସ୍ମିତା ଜେନାଙ୍କ ଅଭିଯୋଗ ଆଧାରରେ ଘସିପୁରା ପୋଲିସ ୩୧୪/୨୪ରେ ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର କୁମାର ବେହେରାଙ୍କ ସ୍ତ୍ରୀ ଅଭିଯୁକ୍ତ ଶିକ୍ଷୟିତ୍ରୀ ଅନସୂୟା ବାରିକଙ୍କୁ ଆନନ୍ଦପୁର ପୌରାଞ୍ଚଳ ଜଅଁରାସ୍ଥିତ ବାସଗୃହରୁ ଗିରଫ କରିଛି।
Powered by Froala Editor