ସ୍କୁଲ୍ ଯାଇଥାନ୍ତେ... ଗଲେ ଶ୍ମଶାନ
କେନ୍ଦୁଝର ଜିଲ୍ଲା ଯୋଡା ଆଜାଦ୍ ବସ୍ତି ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୫ ବର୍ଷର ଶିଶୁ ସହ ଜଣେ ନାବାଳକ ଓ ଅଭିଭାବକଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଆଜାଦ୍ ବସ୍ତି ଅଞ୍ଚଳର କ୍ରୀଷ୍ଣା ଭୁସାଲ, ତାଙ୍କ ୫ ବର୍ଷର ପୁଅ ନିକିତ ଭୁସାଲ ଏବଂ କ୍ରୀଷ୍ଣାଙ୍କ ପଡୋଶୀ ସନ୍ତୋଷ ଶର୍ମାଙ୍କ ୯ବର୍ଷର ପୁଅ ଗଣେଶ ଶର୍ମା । କ୍ରୀଷ୍ଣା ନିକିତ ଓ ଗଣେଶଙ୍କୁ ଟାଟା ଡିଏଭି ସ୍କୁଲ୍ରେ ଛାଡିବା ପାଇଁ ସକାଳ ପ୍ରାୟ ୭ଟା ବେଳେ ବାହାରିଥିଲେ । କିଏ ଜାଣିଥିଲା ହଠାତ୍ ଜମ ଆସି ରାସ୍ତାରେ ଜଗିଥିବ ବୋଲି । ସ୍କୁଲ୍ରେ ପାଠ ପଢିବାକୁ ବାହାରିଥିବା ନିରିହ ଛାତ୍ର ଦୁଇ ଜଣଙ୍କ ସହ ଅଭିଭାବକଙ୍କୁ ଦଳିଦେଇ ଚାଲିଯାଇଥିଲା ଅଜଣା ଗାଡି ।
ଖବର ଦ୍ରୁତ ଗତିରେ ଚାରିଆଡେ ବ୍ୟାପିଗଲା । ରାସ୍ତା ଉପରେ ଅଭିଭାବକଙ୍କ ହେଲମେଟ ସମେତ ଛାତ୍ର ଦ୍ୱୟଙ୍କ ପାଣି ବୋତଲ, ସ୍କୁଲ ବ୍ୟାଗ ଛିନଛତ୍ର ହୋଇ ପଡି ରହିଥିଲା । ରକ୍ତ ଛିଟା ଓ ମୃତଦେହ ଦେଖି ତାତି ଉଠିଥିଲେ ଲୋକମାନେ । ଶତାଧିକ ମହିଳା ଓ ପୁରୁଷ ରୁଣ୍ଡ ହୋଇ ରାସ୍ତାରୋକ କରିଥିଲେ । ପରେ କେନ୍ଦୁଝର ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲେ ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହିତ କ୍ଷତିପୂରଣ ଘୋଷଣା କରିଛନ୍ତି । ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି ।
Powered by Froala Editor