ରେସକ୍ୟୁ ଅପରେସନ୍ ପାଇଁ ଓଡ଼ିଶାରୁ ୱାୟନାଡ ଗଲା ‘ଷ୍ଟର୍ମ’

କେରଳର ଓ୍ବାୟନାଡରେ ଭୂସ୍ଖଳନ ପରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ବ୍ରହ୍ମପୁର ପୁଲିସରର ସନ୍ଧାନୀ କୁକୁର ‘ଷ୍ଟର୍ମ’କେରଳ ଯାଇଛି। ଷ୍ଟର୍ମ ସହିତ ୪ ଜଣ ଅଧିକାରୀ ମଧ୍ୟ ଓ୍ବାୟନାଡ ଯାଇଥିବା ବ୍ରହ୍ମପୁର ଏସ୍ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ଭୂସ୍ଖଳନର ୬ ଦିନ ପରେ ବି ୱାୟନାଡରେ ଅହରହ ରେସକ୍ୟୁ ଅଭିଯାନ ଚାଲିଛି । ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ ଶହ ଶହ ଲୋକ ଏବେବି ନିଖୋଜ ଅଛନ୍ତି। ଆଶଙ୍କା କରାଯାଉଛି ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ। ଡିପ୍ ସର୍ଚ୍ଚ ରାଡାର ଯୋଗେ ସର୍ଚ୍ଚ ଅପରେସନ୍ ବି ଚାଲିଛି। ଏହି ରାଡାର ଭୂପୃଷ୍ଠରୁ ୮୦ ମିଟର ଗଭୀରତା ଯାଏ ମଣିଷ ଫସିଥିବା ନେଇ ସନ୍ଧାନ କରିପାରେ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ସହ ପୁନରୁଦ୍ଧାର କାମ ଚାଲିଛି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଦୁର୍ଗମ ଅଞ୍ଚଳରୁ ଚାଲିଛି ଏୟାରଲିଫ୍ଟ। ପ୍ରଭାବିତ ଅଞ୍ଚଳରେ ୧୩ ଶହରୁ ଅଧିକ ଲୋକ ରେସକ୍ୟୁ ଅପରେସନରେ ଲାଗିଛନ୍ତି। ଇତିମଧ୍ୟରେ ବ୍ରହ୍ମପୁର ପୁଲିସର ଦକ୍ଷ ସନ୍ଧାନୀ କୁକୁର ‘ଷ୍ଟର୍ମ’ ସହାୟତା ପାଇଁ କେରଳ ଯାଇଛି ।
‘ଷ୍ଟର୍ମ’ ହେଉଛି ବ୍ରହ୍ମପୁର ପୁଲିସର ଏକମାତ୍ର କୁକୁର ଯିଏ ସନ୍ଧାନ ଓ ଉଦ୍ଧାର କରିବାର ଟ୍ରେନିଂ ନେଇଛି। ପୁଲିସର କୁକୁର କେବଳ ସନ୍ଧାନ ପାଇଁ ଟ୍ରେନିଂ ନେଇଥିବା ବେଳେ ଷ୍ଟର୍ମ ଉଦ୍ଧାର କାର୍ଯ୍ୟର ପ୍ରଶିକ୍ଷଣ ନେଇଛି। ତେଣୁ ଷ୍ଟର୍ମକୁ ଏଥିପାଇଁ ଚୟନ କରାଯାଇଛି। ‘ଷ୍ଟର୍ମ’ ସହିତ ଜଣେ ଏସ୍ଆଇ, ଦୁଇ ଏଏସ୍ଆଇ, ଟ୍ରେନର ଓ ଅନ୍ୟଜଣେ କର୍ମଚାରୀ ଯାଇଥିବା ସୂଚନା ମିଳିଛି।
Powered by Froala Editor