ଫଶିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଅଧିକାରୀଙ୍କ ସହ କଥା ହେଲେ ଓଡିଶା ସରକାର
ଭୁବନେଶ୍ୱର:କେରଳରେ ଫଶିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ କେରଳ ଅଧିକାରୀଙ୍କ ସହ କଥା ହେଲେ ଓଡିଶା ସରକାର । କେରଳର ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ସେଠାକାର ଓଡ଼ିଆ ଅଧିକାରୀଙ୍କ ସହ ଓଡିଶା ସ୍ୱତନ୍ତ୍ର ରିଲିଫ କମିଶନର କଥା ହୋଇଛନ୍ତି । ଓଡ଼ିଶାର ୨ ପରିବାର ସେଠାରେ ଫଶି ରହିଛନ୍ତି। ଉଭୟ ଡାକ୍ତରଙ୍କ ଖୋଜ ଖବର ମିଳିପାରିନାହିଁ । ହେଲେ ତାଙ୍କ ପତ୍ନୀମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଏନେଇ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଭାରତ ସରକାର ମଧ୍ୟ ସହାୟତା କରୁଛନ୍ତି । ବାୟୁ ସେନା ଏବଂ ଏନଡିଆରଏଫ ସହ ମଧ୍ୟ ଆମେ ଯୋଗାଯୋଗରେ ଅଛୁ । ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଭୟଙ୍କ ପରିବାର ପାଖରେ ପହଞ୍ଚିଛି । ଡାକ୍ତରଙ୍କ ପରିବାର ସହ ଓଡ଼ିଶା ସରକାର ଅଛନ୍ତି । ଆମେ ତାଙ୍କୁ ନିୟମିତ ଅପଡେଟ କରୁଛୁ । ଆଶା କରୁଛି ମହାପ୍ରଭୁଙ୍କ କୃପାରୁ ଉଭୟ ଡାକ୍ତର ଖୁବ ଶୀଘ୍ର ଉଦ୍ଧାର ହେବେ ।
କେରଳରେ ଭୟଙ୍କର ଭୂସ୍ଖଳନରେ ନିଖୋଜ ଅଛନ୍ତି ଦୁଇ ଓଡ଼ିଆ ଡାକ୍ତର । ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାର ଓ ଡାକ୍ତର ସ୍ୱାଧୀନ ପଣ୍ଡା । ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇ ଚିନ୍ତାରେ ପଡିଛନ୍ତି ପରିବାର ସଦସ୍ୟ । ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ତଥା ହାଇଟେକ୍ ମେଡିକାଲର ମେଡିସିନ ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କ ପତ୍ନୀ ୱାୟନାଡରେ ଥିଲେ । ତେବେ ସୋମବାର ବିଳମ୍ବିତ ରାତିରେ ହଠାତ ଭୂସ୍ଖଳନ ହେବାରୁ ବିଷ୍ଣୁଙ୍କର କୌଣସି ପତ୍ତା ମିଳୁନଥିବା ବେଳେ ତାଙ୍କ ପତ୍ନୀ ସୁରକ୍ଷିତ ଥିବା ପରିବାର ଲୋକେ କହିଛନ୍ତି । ସେପଟେ ଡାକ୍ତର ସ୍ୱାଧୀନ ପଣ୍ଡାର ମଧ୍ୟ କୌଣସି ଖୋଜଖବର ମିଳୁନାହିଁ । ସହାୟତା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛନ୍ତି ବିଷ୍ଣୁଙ୍କ ପରିବାର ଲୋକେ ।
Powered by Froala Editor